ଚନ୍ଦ୍ରଶେଖରପୁର : ‘ବୟସ ୮୭ ପାର୍ ହେଲାଣି। ଦେଖୁଛ ତ ବାବୁ, ହାତ ଥରଥର ହେଲାଣି। ଦେହରେ ବଳ ନାହିଁ କି ଆଖିରେ ଦେଖିବା ଶକ୍ତି ବି ନାହିଁ। ପାଚିଲା ଆମ୍ବ ବାବୁ, କେତେବେଳେ ଝଡ଼ି ପଡ଼ିବି। ତଥାପି ଭିକ ମାଗିବି ନାହିଁ ବୋଲି ମୋ ଜୀବନରେ ପଣ କରିଛି ଓ ସେହି ଅନୁସାରେ ପରିଶ୍ରମ କରି ଆଜି ପର୍ଯ୍ୟନ୍ତ ବଞ୍ଚିଛି। କାହା ପାଖରେ ହାତ ପାତିନାହିଁ। ଭଗବାନଙ୍କ କୃପାରୁ ସବୁ କିଛି ଠିକ୍‌ଠାକ୍ ଚାଲିଛି। କିନ୍ତୁ ଗତବର୍ଷଠାରୁ ଏକ ଅଜଣା ଭୟ ଘାରିଛି। ମହାମାରୀ କରୋନା କ’ଣ ମୋତେ ଭିକ ମଗା‌ଇବ କି ବୋଲି ମନରେ ଭୟ ହେଲାଣି।’ କରୋନାର ଦ୍ବିତୀୟ ଲହରକୁ ନେଇ ଏମିତି ଆଶଙ୍କା କରିଛନ୍ତି ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ପଇଡ଼ ବିକୁଥିବା ବୃଦ୍ଧ ଦୁଃଶାସନ ବେହେରା।

ଦୁଃଶାସନଙ୍କ ଘର ଭଦ୍ରକ ତିହିଡ଼ି ଘଣ୍ଟେଶ୍ବର ଅଞ୍ଚଳରେ। ୨୦ ବର୍ଷ ତଳେ ସେ ରୋଜଗାର ଆଶାରେ ରାଜଧାନୀକୁ ଚାଲି ଆସିଥିଲେ। ବଞ୍ଚିବା ପାଇଁ ତାଙ୍କୁ ଏଠାରେ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ପର ଦୋକାନରେ କାମ କରି ସେ ପେଟକୁ ଦାନା ଯୋଗାଡ଼ କରିଥିଲେ। କିନ୍ତୁ ଧୀରେ ଧୀରେ ବୟସ ବଢ଼ିଲା ଓ ଦେହରୁ ବଳ କମିବାରୁ ତାଙ୍କୁ ଆଉ କାମ ମିଳିଲା ନାହିଁ। ତେଣୁ ସେ ଏହି ଛକରେ ପଇଡ଼ ଧରି ବସିଲେ। ପଇଡ଼ ବିକି ଯାହା ରୋଜଗାର ହେଲା, ସେଥି‌ରେ ଗୋଟିଏ ପେଟ ତାଙ୍କର ଖାଲି ରହିଲା ନାହିଁ। କିନ୍ତୁ ଗତବର୍ଷ ମହାମାରୀ କରୋନା ତାଙ୍କୁ ଏକ ନୂଆ ଅନୁଭୂତି ଦେଲା। ଗତବର୍ଷର କଥା ମନେ ପକାଇ ସେ ଭୟରେ ଶିହରି ଉଠନ୍ତି।

ରାଜଧାନୀରେ ସେ କେତେ ବାତ୍ୟା ଦେଖିଛନ୍ତି। କିନ୍ତୁ କରୋନା ପ୍ରକୋପ ତାଙ୍କୁ ବେଶି ବାଧିଥିଲା। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ବେପାର ବନ୍ଦ ହୋଇଗଲା। ରୋଜଗାର ପୂରା ଠପ୍‌। ହାତରେ କୋଉ ସଞ୍ଚିତ ଧନ ଥିଲା ଯେ ବସି ଖାଇଥାନ୍ତେ! ତେଣୁ କିଛି ଦିନ ଭୋକ ଉପାସରେ ବି କଟିଛି। ତେବେ କିଛି ସହୃଦୟ ବ୍ୟକ୍ତି ସେହି ଭୟଙ୍କର ସମୟରେ ସହଯୋଗ କରିବାରୁ ସେ ବଞ୍ଚିଗଲେ। କରୋନା କଟକଣା ହଟିଲା ପରେ ସେ ଆଶ୍ବସ୍ତ ହୋଇଥିଲେ। ପୁଣି ତାଙ୍କ ବେପାର ମୁଣ୍ଡ ଟେକିଲା। ଏବେ ଖରା ଦିନ ହୋଇଥିବାରୁ ଭଲ ବେପାର ବି ହେଉଛି। କିନ୍ତୁ ପୁଣି ଡରାଇଲାଣି କରୋନା। ପୁଣି ସରକାର ସଟ୍‌ଡାଉନ କଲେଣି। ଏବେ ଶନିବାର ଓ ରବିବାର ପାଇଁ କଟକଣା କରାଯାଇଛି। ଆଗକୁ ପୂରା କଟକଣା ନ ହେବ ବୋଲି କିଏ କହିବ? ଯଦି ସେମିତି ହେଲା, ତେବେ ମୋ ଭଳି ବୃଦ୍ଧ କ’ଣ କରିବ ବୋଲି ସେ ବଡ଼ ଅସହାୟ ଭାବେ କହିଛନ୍ତି ଦୁଃଶାସନ। ଆଉ କାମ କରିବାର ଜୁ’ ନାହିଁ। ତେଣୁ ଏହି ବେପାରକୁ ବାଦ୍‌ ଦେଲେ, ତାଙ୍କ ପାଖରେ ଅନ୍ୟ କିଛି ବାଟ ନାହିଁ। ଯଦି ଗତବର୍ଷ ଭଳି ପରିସ୍ଥିତି ଆସେ, ତେବେ ଭିକ ମାଗିବା ସ୍ଥିତି ଆସିବ। ‘ବଞ୍ଚିବା ପାଇଁ ମୁଁ ଆଉ କ’ଣ କରିପାରିବି? ମୋତେ ଯାହା ଲାଗିଲାଣି, ଏ ବଡ଼ ରୋଗ ମୋତେ ଭିକ ମଗାଇ ଛାଡ଼ିବ ବାବୁ!’

The post କରୋନା ଛାଟରେ ଛଟପଟ: ଭିକ ମଗେଇକି ଛାଡ଼ିବ କି କରୋନା! first appeared on Sambad.

from କରୋନା | Sambad https://ift.tt/3tG4YEB