
ବେଙ୍ଗାଲୁରୁ: ସରକାରୀ କର୍ତ୍ତୃପକ୍ଷମାନେ କୋଭିଡ୍ ସଙ୍କଟ ମୁକାବିଲା କରି ଭାରାକ୍ରାନ୍ତ ହୋଇଥିବା ବେଳେ ବେଙ୍ଗାଲୁରୁ ସହରରୁ ଚିହ୍ନଟ ହୋଇଥିବା ପ୍ରାୟ ୩୦୦୦ ସଂକ୍ରମିତ ବ୍ୟକ୍ତି ଏବେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୋନ୍ ସୁଇଚ୍ ଅଫ୍ ରହିଛି। ଫଳରେ ନିଖୋଜ ଆକ୍ରାନ୍ତମାନଙ୍କର ସନ୍ଧାନ ନିମନ୍ତେ ସରକାର ପୁଲିସର ସହାୟତା ନେଇଛନ୍ତି।
କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର୍ ଅଶୋକ ଦାବି କରିଛନ୍ତି ଯେ, ଗତ ଅଳ୍ପ କିଛି ଦିନ ହେବ ରାଜ୍ୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଛି। ଏହି ନିଖୋଜ ବ୍ୟକ୍ତିମାନେ ହିଁ ରାଜ୍ୟରେ ସଂକ୍ରମଣ ବିସ୍ତାର କରୁଛନ୍ତି।
ସୂଚନାଯୋଗ୍ୟ, ବୁଧବାର ଦିନ କର୍ଣ୍ଣାଟକରେ ୩୯,୦୪୭ ସଂକ୍ରମଣ, ୨୨୯ ମୃତ୍ୟୁ ରେକର୍ଡ କରାଯାଇଥିଲା। ସେଥିରୁ ବେଙ୍ଗାଲୁରୁ ସହରାଞ୍ଚଳରେ ଚିହ୍ନଟ ହୋଇଛନ୍ତି ୨୨,୫୯୬ଜଣ ଆକ୍ରାନ୍ତ।
ଅଶୋକ କହିଛନ୍ତି, ନିଖୋଜ ଲୋକମାନଙ୍କର ସନ୍ଧାନ ନେବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। କିନ୍ତୁ, ଏହି ‘ନିଖୋଜ’ ବ୍ୟକ୍ତିମାନଙ୍କୁ କେମିତି ଠାବ କରାଯିବ, ସେ ସଂକ୍ରାନ୍ତରେ ପୁଲିସ କୌଣସି ସୂଚନା ଦେଉନାହିଁ।
ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ ସୁଧାକର କହିଛନ୍ତି, ସଂକ୍ରମିତମାନେ ନିଖୋଜ ହେବା ଘଟଣା ଗତ ଏକ ବର୍ଷ ହେବ ଚାଲି ଆସୁଛି। ଆମେ ଲୋକମାନଙ୍କୁ ମାଗଣାରେ ଔଷଧ ଦେଉଛୁ। ଏହି ଔଷଧ ୯୦% ସଂକ୍ରମଣ ମାମଲା ନିୟନ୍ତ୍ରଣ କରି ପାରିବ। କିନ୍ତୁ, ସଂକ୍ରମିତମାନେ ସେମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦେଇଛନ୍ତି। ସେମାନଙ୍କର ପତ୍ତା ମିଳୁ ନ ଥିବାରୁ ପରିସ୍ଥିତି ଦୁର୍ବିଷହ ହୋଇ ଉଠୁଛି।
ପରେ ସେମାନେ ସଙ୍କଟାପନ୍ନ ଅବସ୍ଥାରେ ଆସି ଡାକ୍ତରଖାନାରେ ପହଞ୍ଚି ବ୍ୟାକୁଳ ହୋଇ ‘ଆଇସିୟୁ’ ବେଡ୍ ଖୋଜୁଛନ୍ତି। ଏବେ ତାହାହିଁ ଘଟୁଛି। ମୋର ମନେହୁଏ, ବେଙ୍ଗାଲୁରୁରେ ଅନ୍ୟୂନ ୨୦୦୦ରୁ ୩୦୦୦ ଲୋକ ସେମାନଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରିବା ସହ ଘର ଛାଡ଼ି ପଳାଇଛନ୍ତି। ସେମାନେ କୁଆଡ଼େ ଗଲେ ଆମେ ଜାଣିନାହୁଁ।
The post ବେଙ୍ଗାଲୁରୁ: ଫୋନ୍ ସୁଇଚ୍ ଅଫ୍ କରି ୩୦୦୦ କୋଭିଡ୍ ଆକ୍ରାନ୍ତ ନିଖୋଜ, ତଲାସ ଆରମ୍ଭ କରିବ ପୁଲିସ first appeared on Sambad.from କରୋନା | Sambad https://ift.tt/3vvZY5Z
0 Comments