
ରାଉରକେଲା : ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲମ୍ଫ ଡ଼ିଆଁ ମାରୁଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦୁଇ ଅଙ୍କରୁ ତିନି ଅଙ୍କକୁ ଛୁଇଁଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩୫୫। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୧୭। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସୁନ୍ଦରଗଡରେ ଚିନ୍ତାଜନକ ସ୍ଥିତି ଉପୁଜୁଛି। ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସୁନ୍ଦରଗଡ ଜିଲ୍ଲାର କୋଭିଡ୍ ପରିଚାଳନା ଦାୟିତ୍ବ ଦେଇଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ପୁରା ଦମ୍ ଲଗାଇ ଦେଇଛି।
ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଖୋଲାଯାଇଥିଲା। ଅନ୍ୟାନ୍ୟ ରୋଗୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆର୍ଜିଏଚ୍ର କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦେଇଛନ୍ତି। ଆରଜିଏଚ୍ ପରିବର୍ତ୍ତେ ବେଦବ୍ୟାସସ୍ଥିତ ଜୟ ପ୍ରକାଶ ହସ୍ପିଟାଲ, ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରାଯାଇଛି। ଦୁଇଟି ହସ୍ପିଟାଲରେ ମାତ୍ର ୩୦ଟି ଲେଖାଏଁ ମୋଟ୍ ୬୦ଟି ବେଡ୍ ରହିଛି। ଗତ ଦୁଇ ଦିନ ଧରି ୬୦ଟି ବେଡ୍ରେ କରୋନା ରୋଗୀ ଭର୍ତ୍ତି ହୋଇଯାଇଥିବାରୁ ରାଉରକେଲା ସହର ସ୍ଥିତି ସଙ୍ଗିନ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଅନୁଯାୟୀ ହସ୍ପିଟାଲରେ ବେଡ୍ ନଥିବାରୁ ସହରବାସୀଙ୍କ ଚିନ୍ତା ବଢ଼ି ଯାଇଛି। ଅଧିକାଂଶ କରୋନା ଆକ୍ରାନ୍ତ ରୋଗୀ ବେଡ୍, ଭେଣ୍ଟିଲେଟର ନ ପାଇ ଆଖି ବୁଜୁଛନ୍ତି। ଗତ ତିନି ଧରି ସହରରେ ଗୋଟିଏ ପରେ ଗୋଟିଏ କରୋନା ରୋଗୀଙ୍କର ମୃତ୍ୟୁ ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ୫୦୦ ବେଡ୍ର କୋଭିଡ୍ କେୟାର ସେଣ୍ଟର (ସିସିସି) ଖୋଲିବାକୁ ଯାଉଛନ୍ତି। ଦୁଇ ତିନି ଦିନ ଭିତରେ ୫୦୦ ବେଡ୍ର ସିସିସି କାର୍ଯ୍ୟକ୍ଷମ ହୋଇଯିବ ବୋଲି ଜଣାପଡ଼ିଛି।
ପୂର୍ବରୁ ଯେଉଁସବୁ ସ୍ଥାନରେ ସିସିସି ଖୋଲଯାଇଥିଲା ସେଠାରେ ସମସ୍ୟା ଥିବାରୁ ବିକଳ୍ପ ସ୍ଥାନ ଖୋଜୁଛି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପାଚେରୀ ପାର୍ଶ୍ବରେ ନିକଟରେ ଲୋକାର୍ପିତ ଆକାଂକ୍ଷା -୧, ଆକାଂକ୍ଷା -୨ରେ ୨୦୦ ଲେଖାଏଁ ବେଡ୍ର ସିସିସି କରାଯିବ। ଅନୁରୂପ ଭାବେ ଛେଣ୍ଡ ବାଗବୁଡି ବସ୍ତିରେ ଥିବା ମହିଳା ନିବାସ ୧୦୦ ବେଡ୍ର ସିସିସି ହେବ। ପ୍ରଥମ ପର୍ଯ୍ୟାୟରେ ମହିଳା ନିବାସରେ ୧୦୦ ବେଡ୍ରେ ସିସିସି କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଆକାଂକ୍ଷା-୧, ଆକାଂକ୍ଷା -୨ ଦୁଇଟି ହଷ୍ଟେଲର ୪୦୦ ବେଡ୍ ରହିବ। ଆବଶ୍ୟକ ବେଡ୍, ଗଦି, ତକିଆ ପୂର୍ବରୁ କୋଭିଡ୍ କେୟାର ସେଣ୍ଟରରୁ ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ସହରରେ ବିଭିନ୍ନ ସ୍ଥାନରେ ମୋଟ ୧୭୦୦ ବେଡ୍ର କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଥିଲା। ବିପିୟୁଟିର ତିନିଟି ହଷ୍ଟେଲରେ ୭୮୦ ବେଡ୍, ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜର ତିନିଟି ହଷ୍ଟେଲରେ ୪୦୦, ସେକ୍ଟର-୪ ଓ ସେକ୍ଟର-୭ରେ ୧୦୦ ଲେଖାଏଁ ବେଡ୍ର ବ୍ୟବସ୍ଥା କରାଯାଇଥିଲା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ପରେ ଗୋଟିଏ ସମସ୍ତ କୋଭିଡ୍ କେୟାର ସେଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ଏବେ କରୋନାର ଦ୍ବିତୀୟ ଲହର ମାଡ଼ି ଆସୁଥିବାରୁ ଜିଲ୍ଲା ପ୍ରଶାସନ ପୁଣି ଥରେ କୋଭିଡ୍ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
The post ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିବ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର first appeared on Sambad.from କରୋନା | Sambad https://ift.tt/3s4c2te
0 Comments