କଟକ : କଟକରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ପ୍ରାୟ ୨୦ ଜଣ ଦୁଇଟି ଡୋଜ୍ ଟିକା ନେବା ପରେ ବି କରୋନା ସଂକ୍ରମିତ ହୋଇଛନ୍ତି। କିନ୍ତୁ ସେମାନେ ଗୃହ ସଂଗରୋଧରେ ରହି ପ୍ରାୟତଃ ସୁସ୍ଥ ରହିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, କରୋନା ଟିକା ଦୁଇଟି ଡୋଜ୍ ନେବା ପରେ ବି ଯେଉଁ ୨୦ଜଣ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି କଟକ ଶିଶୁଭବନର ଜଣେ ମେଡିସିନ୍‌ ବିଭାଗ ପ୍ରଫେସର, ଏସ୍‌ସିବିର ଜଣେ ଆସୋସିଏଟ୍‌ ପ୍ରଫେସର, ହାଉସ୍‌ସର୍ଜନ, ପିଜି ଡାକ୍ତର, ଫାର୍ମାସିଷ୍ଟ୍‌ ଓ ସ୍ବାସ୍ଥ୍ୟବିଭାଗ କର୍ମଚାରୀ। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଅକ୍ସିଜେନ୍ ଅଥବା ଅନ୍ୟ ସ୍ବତନ୍ତ୍ର ଚିକିତ୍ସାର ଆବଶ୍ୟକତା ପଡ଼ି ନ ଥିବାବେଳେ ଅଧିକାଂଶ ଗୃହସଙ୍ଗରୋଧରେ ରହି ସୁସ୍ଥ ହେଉଛନ୍ତି ବୋଲି ଏସ୍‌ସିବିର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ଡବଲ୍‌ ଡୋଜ୍‌ ଟିକା ନେଇଥିବା କେତେକ ବ୍ୟକ୍ତିଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଥିବା ବି ସୂଚନା ରହିଛି। ଦୁଇଟି ଡୋଜ୍‌ ଟିକା ନେବା ପରେ ବି ରାଜ୍ୟରେ ୫୦ରୁ ଅଧିକ ଡାକ୍ତର, କର୍ମଚାରୀ ଓ ଅନ୍ୟ ବିଭାଗର ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ବିଶେଷଜ୍ଞଙ୍କ କହିବାନୁସାରେ, ବର୍ତ୍ତମାନ ଦ୍ବିତୀୟ ଲହରରେ ଲକ୍ଷଣ ଥାଇ ବି ଅନେକଙ୍କ ଆର୍‌ଟିପିସିଆର୍‌ ରିପୋର୍ଟ ନେଗେଟିଭ୍‌ ରହୁଛି। ଅନେକ ନୂଆ ଲକ୍ଷଣ ବି ଦେଖା ଦେଉଛି। ଅନେକ ଘଟଣାରେ ଆଦୌ ଲକ୍ଷଣ ବି ଦେଖାଯାଉନାହିଁ। ଭୂତାଣୁ ଛାତି ଭିତରେ ବା ଫୁସ୍‌ଫୁସ୍‌ରେ ଲୁଚି ରହୁଛି। ଯାହାକି ‘ନାଜାଲ ସ୍ବାବ୍‌’ ଟେଷ୍ଟ ରିପୋର୍ଟରେ ଆସି ପାରୁନି। ତାହା ସିଟି ସ୍କାନ୍‌, ବ୍ରଙ୍କୋସ୍କୋପିରେ ଜଣାପଡୁଛି। ଅନ୍ୟପଟେ ପଲ୍ୟୁମୋଲୋଜିଷ୍ଟ ଡାକ୍ତର ସମ୍ପତ ଦାଶଙ୍କ କହିବା କଥା ହେଲା, କେତେକ କ୍ଷେତ୍ରରେ ଲକ୍ଷଣ ରହୁଥିଲେ ବି ରିପୋର୍ଟ ନେଗେଟିଭ୍‌ ଆସୁଛି। ଏହାକୁ ନେଇ ଅନେକ ଦ୍ବନ୍ଦ୍ବ ବି ଉପୁଜୁଛି। ତେଣୁ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଯଦି ରିପୋର୍ଟ ନେଗେଟିଭ୍‌ ଆସେ ତାହେଲେ ସେମାନେ ଯେ କରୋନା ମୁକ୍ତ ତାହା ଏବେ ଭାବିବା ଭୁଲ। ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏଥର ସିଧାସଳଖ ଫୁସ୍‌ଫୁସ ସଂକ୍ରମିତ ହେବା ସହିତ ରୋଗୀ ନିମୋନିଆ ଆଡ଼କୁ ଗତି କରୁଛି।

The post ୨ ଡୋଜ୍‌ ଟିକା ପରେ ବି ୨୦ରୁ ଅଧିକ ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/3xbv7xc