ଶ୍ମଶାନମାନଙ୍କରେ ଶବଦାହ ପାଇଁ ଜାଗା ମିଳୁନାହିଁ
ଭାରତ ଇତିହାସରେ ଆଗରୁ ଏମିତି ହୋଇନଥିଲା
ରାଜ୍ୟର ସବୁ ସୀମାନ୍ତ ଜିଲ୍ଲାରେ ଗଭୀର ପ୍ରଭାବ ପଡ଼ିଛି
ସରକାର ଏକାକୀ ଏହାର ମୁକାବିଲା କରିପାରିବେ ନାହିଁ
ହାତ ଯୋଡ଼ି କହିଲେ କୋଭିଡ୍ ନିୟମ ସମସ୍ତେ ପାଳନ୍ତୁ

ଭୁବନେଶ୍ବର : ‘‘ସାଢ଼େ ଚାରିକୋଟି ହେଉଛନ୍ତି ମୋ ପରିବାର। ମୋ ପରିବାର ନିରାପଦ ରହୁ। ମୋ ଓଡ଼ିଶା ନିରାପଦ ରହୁ। ମୋ ପରିବାରର ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ। ଗତକାଲି ରାଜ୍ୟ ସରକାର ୧୮ରୁ ୪୫ବର୍ଷ ବୟସ୍କ ପ୍ରତ୍ୟେକଙ୍କୁ ଟିକା ଦେବା ଲାଗି ନିର୍ଦେଶ ଦେଇଛନ୍ତି। ହେଲେ ଏଥିପାଇଁ ଆମକୁ ଗୋଟିଏ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏ ଦାୟିତ୍ବ ଆପଣଙ୍କ ସରକାରର।’’

କୋଭିଡ୍ ଟିକା ମୂଲ୍ୟକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଦନ କରି କୋଭିଡ୍ ନିୟମ ପାଳନ ଲାଗି ଅନୁରୋଧ କରିବା ସହିତ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି। ଏକଥା ବି ସୂଚନା ଦେଇଛନ୍ତି ଯେ ୧୮ରୁ ୪୫ବର୍ଷ ବୟସ୍କ ୨କୋଟି ଲୋକ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ। ରାଜ୍ୟ ସରକାର ପ୍ରାୟ ୨ ହଜାର କୋଟି ଟଙ୍କା ରାଜ କୋଷରୁ ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ନିଶ୍ଚୟ ଏହି ମହାସଙ୍କଟରୁ ଉଦ୍ଧାର ପାଇବା ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଆଜି ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଭୁଲ୍ ହେବ ନାହିଁ। କୋଭିଡ୍ ସଂକ୍ରମଣରେ ଭାରତ ଆଜି ବି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ବହୁତ ଦୁଃଖର କଥା ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆପଣମାନେ ଟିଭି, ମିଡ଼ିଆରୁ ଜାଣୁଥିବେ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟରେ ପରିସ୍ଥିତି ଭୟଙ୍କର ହୋଇଛି। ଏସବୁ ରାଜ୍ୟରେ ଔଷଧ, ଅକ୍ସିଜେନ୍, ଶଯ୍ୟା ଆଦି ପୂରା ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବହୁତ ଚାପ ପଡ଼ୁଛି। ସବୁଠାରୁ ଦୁଃଖର କଥା, ଶ୍ମଶାନ ମାନଙ୍କରେ ମଧ୍ୟ ଶବ ଦାହ ପାଇଁ ଜାଗା ମିଳୁନାହିଁ। ଏଭଳି ଭୟଙ୍କର ପରିସ୍ଥିତି ଭାରତ ଇତିହାସରେ କେବେ ବି ଆସିନଥିଲା।’’

କିଛି ଦିନ ତଳେ ସେ ଏ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଓ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ସଂପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ‘‘ସେମାନଙ୍କ ଦୁଃଖ ସମୟରେ ମୁଁ ସହଯୋଗର ହାତ ବଢାଇଥିଲି। ଓଡ଼ିଶା ଆଜି ୬ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଛି। ପରିସ୍ଥିିତି ଅତି ଭୟଙ୍କର। ଆମ ରାଜ୍ୟର ସବୁ ସୀମାନ୍ତ ଜିଲ୍ଲାମାନଙ୍କରେ ମଧ୍ୟ ସଂକ୍ରମଣର ଗଭୀର ପ୍ରଭାବ ପଡ଼ିଛି। ଗତବର୍ଷ ଆମେ ସମସ୍ତେ ମିଶି କୋଭିଡ୍‌ର ମୁକାବିଲା କରିଥିଲେ। ବାତ୍ୟା ହେଉ କି ବନ୍ୟା ବା କୋଭିଡ୍ ପରିଚାଳନା ସବୁବେଳେ ଓଡ଼ିଶାବାସୀ ସହଯୋଗ କରିଥିବାରୁ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛେ’’ ବୋଲି ନବୀନ କହିଥିଲେ।

ଗତବର୍ଷ ଠାରୁ ଏବର୍ଷର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ବୋଲି ବର୍ଣ୍ଣନା କରି ନବୀନ ଆହୁରି କହିଥିଲେ, ‘‘ସରକାରଙ୍କ ତରଫରୁ ଶଯ୍ୟା ଠାରୁ ଆରମ୍ଭ କରି ଅକ୍ସିଜେନ୍, ଔଷଧ, ଆମ୍ବୁଲାନ୍ସ ଆଦି ସବୁ ବ୍ୟବସ୍ଥାକୁ ମଜବୁତ୍ କରାଯାଉଛି। ମୁଁ ବାରମ୍ବାର କହି ଆସିଛି ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ ଯଦି ଆମେ ସତର୍କ ନ ରହିବା, ନିଜେ ନିଜର ଦାୟିତ୍ବ ପ୍ରତି ସଚେତନ ନ ହେବା ତେବେ ସରକାରୀ ଏକାକୀ ଏ ପରିସ୍ଥିତିର ମୁକାବିଲା କରିପାରିବେ ନାହିଁ।’’ ଏଣୁ ପରିସ୍ଥିତିର ଭୟାବହତାକୁ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ପ୍ରତ୍ୟେକଟି ମୃତ୍ୟୁ ପଛରେ ରହିଛି ଗୋଟିଏ ଗୋଟିଏ ପରିବାରର ଦୁଃଖ ଭରା କାହାଣୀ। କିଏ ନିଜର ବାପା ମାଆଙ୍କୁ ହରାଇଛି ତ କିଏ ନିଜ ଭାଇ ଭଉଣୀଙ୍କୁ। ପୁଣି କେଉଁଠି ନବ ବିବାହିତା ସ୍ତ୍ରୀ ସ୍ବାମୀଙ୍କୁ ହରାଇଛି, କେଉଁଠି ବୁଢା଼ ବାପା ମାଆଙ୍କ ଆଗରେ ରୋଜଗାରିଆ ପୁଅ ଚାଲିଯାଉଛି। କେଉଁଠି ଛୋଟ ଛୋଟ ପିଲାମାେନ ଅନାଥ ହୋଇଯାଉଛନ୍ତି ତ ଆଉ କେଉଁଠି ପୂରା ପରିବାର ଶେଷ ହୋଇଯାଉଛି। ତେଣୁ ଏ ପରିସ୍ଥିତିରେ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି ଯେ କୋଭିଡ୍ ନିୟମକୁ ସମସ୍ତେ ପାଳନ କରନ୍ତୁ। ଆବଶ୍ୟକ ନ ହେଲେ ଘରୁ ବାହାରନ୍ତୁ ନାହିଁ।’’

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କିଏ ଜାଣେ ଯେ ଫେରିବା ବେଳେ କରୋନା ଆପଣମାନଙ୍କ ଘରକୁ ଆସିନଥିବ? ତେଣୁ ସମସ୍ତେ ସତର୍କ ରହିବା ଉଚିତ୍। ସବୁ ବେଳେ ମାସ୍କ ପିନ୍ଧିବା ଜରୁରୀ। ସାମାଜିକ ଦୂରତା ରକ୍ଷା କହିବା ସହିତ କୋଭିଡ୍ ନିୟମ ପାଳନ କରିବା ଉଚିତ୍।

ଲକ୍‌ ଡାଉନ୍ କି ସଟ୍‌ ଡାଉନ୍ ମୁଁ କେବେ ଚାହେଁ ନାହିଁ ବୋଲି ସୂଚନା ଦେଇ ନବୀନ କହିଥିଲେ, କେହି ବି ଏକଥା ଚାହିଁବେ ନାହିଁ। କାରଣ ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେବ। ହେଲେ ଅର୍ଥନୀତି ସହିତ ଜୀବନ ରକ୍ଷା ବି ଗୁରୁତ୍ବପୂର୍ଣ୍ଣ। ଯଦି ନିୟମ ମାନିବା, ସାବଧାନ ରହିବା, ତେବେ ଲକ୍‌ଡାଉନ୍ ବିନା କୋଭିଡ୍ ଯୁଦ୍ଧ ଜିତିପାରିବା।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ଏବେ ୧୦ଲକ୍ଷ ୩୪ ହଜାର କୋଭାକ୍ସିନ୍ ଏବଂ ୩ଲକ୍ଷ ୭୭ ହଜାର କୋଭିସିଲ୍‌ଡ ଟିକା କିଣିବା ପାଇଁ ଅର୍ଡର ଜାରି କରିଛନ୍ତି।

The post କରୋନା ଟିକା ମାଗଣା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୨୦୦୦ କୋଟି ଖର୍ଚ୍ଚ ହେବ first appeared on Sambad.

from କରୋନା | Sambad https://ift.tt/3sL6p3y