ଦିଗପହଣ୍ଡି : ବ୍ରହ୍ମପୁର ଏମ୍‌କେସିଜି ବଡ଼ ମେଡିକାଲରେ ଅକ୍ସିଜେନ୍‌ ଅଭାବରୁ ପୁଣି ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି। ବଡ଼ ମେଡିକାଲରେ ଚିକିତ୍ସାରେ ଅବ‌ହେଳା ଅଭିଯୋଗ ବାରମ୍ବାର ସାମ୍ନାକୁ ଆସୁଥିବାବେଳେ ଏବେ କୋଭିଡ୍‌ ହସ୍‌ପିଟାଲ୍‌ରେ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ। ଏଣୁ ଏଠାରେ ସନ୍ଦିଗ୍ଧ କୋଭିଡ୍‌ ରୋଗୀଙ୍କ କୋଭିଡ୍‌ ପରୀକ୍ଷା ପୂର୍ବରୁ ଅକ୍ସିଜେନ୍‌ ସ୍ତର କମି ମୃତ୍ୟୁ ଘଟୁଛି। ଏହିଭଳି ଭାବେ ମୃତ୍ୟୁର ଶିକାର ହୋଇଛନ୍ତି ଜଣେ ଯୁବକ।

ଯୁବକ ଜଣକ ହେଲେ ଦିଗପହଣ୍ଡି ଉପରବସା ସାହିର ମିଥୁନ ପାଣିଗ୍ରାହୀ (୩୫)। ମିଥୁନ ଗତ କିଛିଦିନ ହେଲା ଅସୁସ୍ଥ ‌ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କ ଶରୀରର ଅକ୍ସିଜେନ୍ ସ୍ତର କମିଯିବାରୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଫଳରେ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। କିନ୍ତୁ ଅକ୍ସିଜେନ୍ ଠିକ୍ ସମୟରେ ଦିଆଯାଇ ପାରି ନ ଥିଲା। ଏ ନେଇ ତାଙ୍କ ଭାଇ ଅଭିଯୋଗ କରିବା ପରେ ବିଳମ୍ବରେ ଅକ୍ସିଜେନ୍ ସିଲିଣ୍ଡର୍ ଯୋଗାଇ ଦିଆଯାଇଥିଲା। କିନ୍ତୁ କୋଭିଡ୍ ପରୀକ୍ଷା ହୋଇ ନ ଥିଲା। ସଂକଟାପନ୍ନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଶୋକାକୁଳ ପରିବେଶରେ ମିଥୁନଙ୍କ ଶବ ସଂସ୍କାର କରାଯାଇଥିଲା। ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମିଥୁନଙ୍କ ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ବ୍ରହ୍ମପୁର ଏମ୍‌କେସିଜି ବଡ଼ ମେଡିକାଲରେ ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ଫଳରେ, ତାଙ୍କ ପରିବାର ଲୋକେ ବିଶାଖାପାଟଣା ଓ ଭୁବନେଶ୍ବର ନେବାକୁ ବାଧ୍ୟ ହେଉଛନ୍ତି।

The post ଏମ୍‌କେସିଜି ଆଇସିୟୁରେ ମିଳିଲାନି ଅକ୍ସିଜେନ୍, କୋଭିଡ୍‌ ସନ୍ଦିଗ୍ଧ ମୃତ first appeared on Sambad.

from କରୋନା | Sambad https://ift.tt/32xK3HS