
ସୋହେଲା: ଗତ ୪ତାରିଖ ସକାଳୁ ବରଗଡ଼ ଜିଲା କରୋନା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁ ଜିଲ୍ଲା ଗସ୍ତ ଅବସରରେ ଅଚାନକ ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତ ଲୁହୁରାଚଟି ପହଂଚିଥିଲେ। ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟରୁ ସଡ଼କପଥରେ ଓଡ଼ିଶାକୁ ଆସିବା ପାଇଁ ସୀମାନ୍ତ ଲୁହୁରାଚଟି ହୋଇ ପ୍ରବେଶ କରିବାକୁ ହୋଇଥାଏ । ବର୍ତମାନ ପଡୋଶୀ ଛତିଶଗଡ଼ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ତେଣୁ ଲୁହୁରାଚଟି ଠାରେ ତୁରନ୍ତ ଏକ ଯାଂଚ କେନ୍ଦ୍ର ଖୋଲି ସେଠାରେ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ପର୍ଯ୍ୟବେକ୍ଷକ ଶ୍ରୀ ସାହୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ସଂଧ୍ୟାରେ ସୋହେଲା ବିଡିଓ, ଥାନା ଆଇଆଇସି ପ୍ରମୁଖ ଲୁହୁରାଚଟି ଯାଇ ଏକ ଯାଂଚକେନ୍ଦ୍ର ଖୋଲିବା ସହିତ ରାସ୍ତା ଉପରେ ମାସ୍କ ଚେକିଂ କରୁଥିବା ଫଟୋ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜାରି କରାଯାଇଥିଲା ।
ସୀମାନ୍ତରେ କିପରି କରୋନା ଯାଂଚ ଚାଲିଛି ସେ ସଂପର୍କରେ ସ୍ଥିତି ଜାଣିବା ପାଇଁ ଆଜି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ସେଠାକୁ ଯାଇଥିଲେ । ଛତିଶଗଡ଼ ସରକାରଙ୍କ ଦ୍ୱାରା ସେଠାକାର ଗ୍ରାମ ରେହେଟିଖୋଲରେ ଖୋଲା ଯାଂଚ କେନ୍ଦ୍ର ଖୋଲା ରହିଛି। ପୁଲିସ୍ ଓ ଶିକ୍ଷକମାନେ ଜାତୀୟ ରାଜପଥଦେଇ ଛତିଶଗଡ଼ ରାଜ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଯାନବାହନ ଅଟକାଇ ଲୋକଙ୍କ ତଥ୍ୟ ସଂଗ୍ରହ ସହିତ ଥର୍ମାଲ ସ୍କ୍ରିନିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଓଡ଼ିଶା ସୀମାରେ ଥିବା ଯାଂଚ କେନ୍ଦ୍ରରେ ଏକ ଭଙ୍ଗା ପ୍ଲାଷ୍ଟିକ ଚୌକି ସମେତ ୩ଟି ଖାଲି ଚୌକି ପଡ଼ିଛି। ସେଠାରେ କୌଣସି କର୍ମଚାରୀଙ୍କ ଦେଖାନଥିଲା। ସ୍ଥାନୀୟ କିଛି ଲୋକଙ୍କୁ ପଚରା ଯିବାରୁ, ଗତକାଲି ସଂଧ୍ୟାରେ କିଛି ଅଧିକାରୀ ଆସି ଫଟୋ ଉଠାଇବା ପରେ ଏହି କେନ୍ଦ୍ର ସେଭଳି ପଡ଼ିଥିବା କହିଥିଲେ। ଏଥିରୁ କରୋନା ମୁକାବିଲାର ସ୍ପଷ୍ଟ ଚିତ୍ର ଉଜାଗର ହୋଇଛି।
The post ସୀମାନ୍ତରେ କରୋନା ମୁକାବିଲା ଏଭଳି, ଭଙ୍ଗା ଚୌକି ଜଗିଛି କରୋନା ଯାଂଚ କେନ୍ଦ୍ର first appeared on Sambad.from କରୋନା | Sambad https://ift.tt/2OtPmF6
0 Comments