
ନୂଆଦିଲ୍ଲୀ: ଅଭୂତପୂର୍ବ ବେଗରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଚାପ ପଡୁଥିବା କାରଣରୁ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ‘ଲକ୍ଡାଉନ୍’ ବଢ଼ାଇ ଦିଆଯାଇ ପାରେ ବୋଲି କେତେକସୂତ୍ରରୁ ଶୁଣାଯାଉଛି।
ଏ ସଂକ୍ରାନ୍ତରେ ଆଜି ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ଆଦେଶନାମା ଜାରି କରିପାରେ।
ଗତସପ୍ତାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଗାମୀକାଲି ପର୍ଯ୍ୟନ୍ତ ଛଅଦିନିଆ ‘ଲକ୍ଡାଉନ୍’ ଘୋଷଣା କରିଥିଲେ। କୋଭିଡ୍ ସଙ୍କଟ ଅତି ଉତ୍କଟ ହୋଇଯାଇଥିବାରୁ ସହରରେ ଉପଲବ୍ଧ ସମ୍ବଳଦ୍ବାରା ଅବସ୍ଥାକୁ ନିୟନ୍ତ୍ରଣ କରି ହେବ ନାହିଁ ବୋଲି ସେ ଜଣାଇଥିଲେ। ସେ କହିଥିଲେ, ଯଦି ଏବେ ଆମେ ‘ଲକ୍ଡାଉନ୍’ ଜାରି କରିବା ନାହିଁ, ସମ୍ଭବତଃ ଆମେ ବଡ଼ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହେବା। ସରକାର ଆପଣମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ବ ନେବେ। ପରିସ୍ଥିତିକୁ ବିଚାରି ଆମେ ଏ ଭଳି କଠୋର ପନ୍ଥା ଗ୍ରହଣ କରିଛୁ।
ଦିଲ୍ଲୀରେ ଥିବା ଉନ୍ନତ ହସ୍ପିଟାଲ୍ ସବୁ ଅମ୍ଳଜାନ ନିଅଣ୍ଟ ସଂକ୍ରାନ୍ତରେ ‘ଏସ୍ଓଏସ୍ ମେସେଜ୍’ ପଠାଇ ଚାଲିଥିବା ବେଳେ ଗତ ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଟୁଇଟ୍ କରି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ। ସେ ଲେଖିଥିଲେ, ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରି ଲେଖୁଛି, ଯଦି କାହା ପାଖରେ ବହକା ଅମ୍ଳଜାନ ଅଛି, ତାହା ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ।
ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୭ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ହେଉଛି ଦିଲ୍ଲୀ ପାଇଁ ସର୍ବାଧିକ। ଏହାଛଡ଼ା, ଦିଲ୍ଲୀରେ ୨୪୦୦୦ରୁ ଅଧିକ ସଂକ୍ରମଣ ମାମଲା ମଧ୍ୟ ରେକର୍ଡ କରାଯାଇଛି।
The post ସଂକ୍ରମଣ ତୀବ୍ରତର ହେଉଥିବାରୁ ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିପାରେ ‘ଲକ୍ଡାଉନ୍’! first appeared on Sambad.from କରୋନା | Sambad https://ift.tt/3niIdEs
0 Comments