ନୂଆଦିଲ୍ଲୀ: ଆସାମବାସୀ କୋଭିଡ୍‌-୧୯ ବିପକ୍ଷରେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ‘ମାସ୍କ୍‌’ ପିନ୍ଧିବା ଅନାବଶ୍ୟକ, କାରଣ ରାଜ୍ୟରେ ଆଉ ସେ ମାରାତ୍ମକ ଭୂତାଣୁ ନାହିଁ ବୋଲି ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି।

ଭାରତରେ କୋଭିଡ୍‌-୧୯ର ଦ୍ୱିତୀୟ ପ୍ରବାହ ଚାଲିଥିବା ସମୟରେ ଏବଂ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହିମନ୍ତ ଏଭଳି ମନ୍ତବ୍ୟ ଦେଇଛନ୍ତି।

‘ଦି ଲାଲନ୍‌ଟପ୍‌’ ସହ ଏକ ସାକ୍ଷାତ୍‌କାରରେ ବିସ୍ମିତ ହୋଇ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି କୋଭିଡ୍‌-୧୯ ଆସାମରୁ ପ୍ରତ୍ୟାବର୍ତ୍ତନ କରି ସାରିଥିବା ବେଳେ ଲୋକେ କାହିଁକି ‘ମାସ୍କ୍‌’ ପିନ୍ଧି ଆତଙ୍କ ସୃଷ୍ଟି କରିବେ।

ସତର୍କତାସ୍ୱରୂପ ‘ମାସ୍କ୍‌’ ପିନ୍ଧିବା ଲାଗି କେନ୍ଦ୍ର ସରକାର ଥରକୁ ଥର କରୁଥିବା ନିବେଦନକୁ ତାଙ୍କର ମନ୍ତବ୍ୟ ବିରୁଦ୍ଧାଚରଣ କରୁଛି ବୋଲି କୁହାଯିବାରୁ ସେ କହିଲେ, କେନ୍ଦ୍ର ସରକାର ନିର୍ଦେଶାବଳୀ ଏବଂ ମାର୍ଗଦର୍ଶିକା ଜାରି କରିପାରିବେ, କିନ୍ତୁ ଆସାମରେ ଆଜି ଆଉ କୋଭିଡ୍‌-୧୯ର ସତ୍ତା ନାହିଁ। ପୁଣି କୋଭିଡ୍‌-୧୯ ଆସିଲେ, ଆମେ ଲୋକଙ୍କୁ ଜଣାଇବା ସହ ‘ମାସ୍କ୍‌’ ପିନ୍ଧିବାକୁ କହିବୁ।

Image Courtesy of NDTV

ଅନ୍ୟ କେତେକ ରାଜ୍ୟ କୋଭିଡ୍‌-୧୯ କଟକଣା କଠୋର କରୁଥିବା ସତ୍ତ୍ୱେ ‘ମାସ୍କ୍‌’ ପିନ୍ଧିବା ଅନାବଶ୍ୟକ ବୋଲି କାହିଁକି ତାଙ୍କର ମନେହେଉଛି ବୋଲି ପଚାରନ୍ତେ ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ନାହିଁ ତ ନାହିଁ। ମୁଁ କ’ଣ କରିବି?

ଏହାପରେ, ହେମନ୍ତ ବିଶ୍ୱ ଶର୍ମା ତାଙ୍କ ଯୁକ୍ତିକୁ ସବିସ୍ତାର ବୁଝାଇବାକୁ ଯାଇ କହିଲେ, ରାଜ୍ୟ ଅର୍ଥନୀତିର ପୁନଃଉଦ୍ଧାର ଉପରେ ସରକାର ଧ୍ୟାନ ଦେଉଛନ୍ତି। ଲୋକେ ‘ମାସ୍କ୍‌’ ପିନ୍ଧିଲେ ବିୟୁଟି ପାର୍ଲର୍‌ କେମିତି ଚାଲିବ? ବିୟୁଟି ପାର୍ଲର୍‌ ଚାଲିବା ଆବଶ୍ୟକ। ତେଣୁ, ‘ମାସ୍କ୍‌’ ନ ପିନ୍ଧିବା ଗୋଟାଏ ଅସ୍ଥାୟୀ ଆଶ୍ୱସ୍ତି ବୋଲି ମୁଁ ଲୋକମାନଙ୍କୁ କହୁଛି। ଯେଉଁ ଦିନ କୋଭିଡ୍‌-୧୯ ସଂକ୍ରମଣଜନିତ ବିପଦ ଅନୁଭବ କରିବି, ପୁଣି ଲୋକମାନଙ୍କୁ ‘ମାସ୍କ୍‌’ ପିନ୍ଧିବାକୁ କହିବି। ସେତେବେଳେ ଏହି ଆଦେଶ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ପଡ଼ିବ।

ସେ ଆହୁରି ମଧ୍ୟ କହିଲେ ଯେ, ‘ବିହୁ’ ପାଳନ ନିମନ୍ତେ ଆଦୌ କଟକଣା ରହିବ ନାହିଁ। ବହୁ ଆଡ଼ମ୍ବରରେ ‘ବିହୁ’ ପାଳନ କରାଯିବ।

The post ମାସ୍କ୍‌ ପିନ୍ଧିବା ଅନାବଶ୍ୟକ, କରୋନା ଚାଲିଗଲାଣି, ଫେରିଲେ କହିବି: ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ  first appeared on Sambad.

from କରୋନା | Sambad https://ift.tt/3wnt9cN