କାଇରୋ: ଦେଶରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ କୁଏତ୍ ସରକାର ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ସେବା ବାତିଲ କରିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ ଅନୁସାରେ, ଭାରତରୁ ଆସୁଥିବା ସମସ୍ତ ପ୍ରତ୍ୟକ୍ଷ ଯାତ୍ରୀବାହୀ ବିମାନ ସେବା ବାତିଲ କରିବାକୁ ନିର୍ଦେଶ ଦିଆଯାଇଥିବା କଥା ଶନିବାର ଦିନ କୁଏତ୍ର ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ ଟୁଇଟ୍ କରି କହିଛନ୍ତି। ଏପ୍ରିଲ୍ ୨୪ରୁ ଲାଗୁ ହେଉଥିବା ଏହି ଆଦେଶନାମା ପରବର୍ତ୍ତି ବିଜ୍ଞପ୍ତି ପର୍ଯ୍ୟନ୍ତ ବଳବତ୍ତର ରହିବ।
ବୈଶ୍ବିକ କରୋନାଭାଇରସ୍ ପରିସ୍ଥିତିର ମୂଲ୍ୟାୟନ କରିବା ପରେ କୁଏତ୍ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ନିର୍ଦେଶାନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସିଧାସଳଖ ଭାରତରୁ କିଂବା ଅନ୍ୟ ଦେଶ ଦେଇ ଆସୁଥିବା ଯାତ୍ରୀମାନେ କୁଏତ୍ରେ ପ୍ରବେଶ କରି ପାରିବେ ନାହିଁ। ଅବଶ୍ୟ ଭାରତରୁ ଆସି ୧୪ ଦିନ ଅନ୍ୟ କୌଣସି ଦେଶରେ ବିତାଇବା ପରେ ସଂକ୍ରମଣର ଲକ୍ଷଣ ନ ଥିବା ଯାତ୍ରୀମାନଙ୍କୁ କୁଏତ୍ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଏହି ବିବୃତିରେ ଉଲ୍ଲେଖ ଅଛି।
ସେହିଭଳି, କୁଏତ୍ ନାଗରିକ, ସେମାନଙ୍କ ନିଜସ୍ବ ଆତ୍ମୀୟ ଏବଂ ସେମାନଙ୍କ ଘରେ କାମଦାମ କରୁଥିବା ଲୋକମାନଙ୍କୁ କୁଏତ୍ ପ୍ରବେଶ କରିବାରେ ବାଧା ନାହିଁ। ପଣ୍ୟବାହୀ ବିମାନ ପରିବହନ ଚଳାଚଳ ପୂର୍ବପରି ଅବ୍ୟାହତ ରହିବ।
ସ୍ମରଣଯୋଗ୍ୟ, ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ୍ ଏବଂ କାନାଡା ମଧ୍ୟ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶ ଜାରି କରିଛନ୍ତି।
The post କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି କାରଣରୁ ଭାରତରୁ ଯାତ୍ରୀବାହୀ ବିମାନ ସେବା ବାତିଲ କଲା କୁଏତ୍ first appeared on Sambad.from କରୋନା | Sambad https://ift.tt/3sN9IHs
0 Comments