ରେମ୍‌ଡେସଭିରକୁ ନେଇ ବିବାଦ ଘନଉଛି, ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାଁମୁହିଁ

ମୁମ୍ବାଇ: ମହାରାଷ୍ଟ୍ରରେ ରେମ୍‌ଡେସଭିର ଯୋଗାଣ ନେଇ ବିବାଦ ଘନଉଛି। ଚିକିତ୍ସା ପାଇଁ ରେମ୍‌ଡେସଭିର ଅଭାବ ଥିବା ବିଭିନ୍ନ ରାଜ୍ୟ ଅଭିଯୋଗ କରିଥିବା ବେଳେ ଶିବସେନା ନେତାମାନେ ଏହି ପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ରେମ୍‌ଡେସଭିର ଗଚ୍ଛିତ କରି ରଖୁଛନ୍ତି ବୋଲି ଶିବସେନା କହିଛି। ନିର୍ଦ୍ଦିଷ୍ଟ ସଂସ୍ଥାଠାରୁ ରେମ୍‌ଡେସଭିର କିଣିବା ପାଇଁ ମଧ୍ୟ ଫଡନାବିସ ଚାପ ସୃଷ୍ଟି କରୁଥିଲେ ବୋଲି ଅଭିଯୋଗ ହୋଇଛି। ବିଜେପିକୁ ଟାର୍ଗେଟ୍‌ କରି ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ରାଜ୍ୟରେ କେତେକ ସ୍ଥାନରେ ରେମଡେସ୍‌ଭିର ଜବତକୁ ନେଇ ଯାହା ଘଟୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

କୌଣସି ଦଳ ମେଡିସିନ୍‌କୁ ନେଇ ରାଜନୀତି କରିବା ଉଚିତ୍‌ ନୁହେଁ ବୋଲି ରାଉତ କହିଛନ୍ତି। ଅନ୍ୟପ‌କ୍ଷେ ବିଜେପି କହିଛି ଯେ ରାଜ୍ୟ ସରକାର ଅତି ଲଜ୍ଜାଜନକ ରାଜନୀତି କରୁଛନ୍ତି ଏବଂ ଏଭଳି କାର୍ଯ୍ୟ ସହ ବିଜେପିର କିଛି ସଂପର୍କ ନାହିଁ। ରେମ୍‌ଡେସଭିର ଜବତ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ବିଜେପି ଦାବି କରିଛି।

ଉଲ୍ଲେଖଯୋଗ୍ୟ, ଔଷଧ ନିର୍ମାଣକାରୀ ସଂସ୍ଥା ବ୍ରକ୍‌ ଫାର୍ମାର ନିର୍ଦ୍ଦେଶକଙ୍କୁ ଔଷଧ ଷ୍ଟକ୍‌ ସଂକ୍ରାନ୍ତରେ ସରକାର ଜେରା କରିବା ବିଷୟକୁ ଫଡ଼ନାବିସ ସମାଲୋଚନା କହିଥିଲେ। ଫାର୍ମା ନିର୍ଦ୍ଦେଶକଙ୍କୁ ଭିଲେ ପାର୍ଲେ ପୁଲିସ ପ୍ରାୟ ୪୫ ମିନିଟ୍‌ ଜେରା କରିଥିଲେ। ବିରୋଧୀ ଦଳ ନେତାମାନେ ଶନିବାର ରାତିରେ ଥାନା‌ରେ ପହଞ୍ଚି ନିର୍ଦ୍ଦେଶକଙ୍କୁ କାହିଁକି ଜେରା କରାଯାଉଥିଲା ସେନେଇ ତନାଘନା କରିଥିଲେ। ବିଜେପିକୁ ବଦନାମ କରିବା ପାଇଁ ଏହା ସରକାରଙ୍କ ଏକ ଚାଲ୍‌ ବୋଲି ବିଜେପି ନେତାମାନେ କହିଥିଲେ।

The post ରେମ୍‌ଡେସଭିରକୁ ନେଇ ବିବାଦ ଘନଉଛି, ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାଁମୁହିଁ first appeared on Sambad.

from କରୋନା | Sambad https://ift.tt/3xfM89U

Post a Comment

0 Comments