
କୋରାପୁଟ: ପ୍ରସିଦ୍ଧ ଗୁପ୍ତେଶ୍ବର ପୀଠରେ କୋଭିଡ-୧୯ ଗାଇଡଲାଇନ ଅନୁସାରେ ମହାଶିବରାତ୍ରୀ ପାଳନ ହେବ। ଏ ନେଇ କୋରାପୁଟ ଜିଲ୍ଲାପାଳ ଆଜି ଗାଇଡଲାଇନ ଜାରି କରିଛନ୍ତି। ଶିବରାତ୍ରୀ ସମୟରେ ପୂଜକଙ୍କୁ ନେଇ କେବଳ ନୀତି ହେବ। ଶ୍ରଦ୍ଧାଳୁଙ୍କ ପାଇଁ ଗୁପ୍ତେଶ୍ବର ମନ୍ଦିର ମନା ରହିବ। ବାହାର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଦିଆଯିବ ନାହିଁ।
କୋରାପୁଟ ଜିଲ୍ଲାପାଳଙ୍କ କୋଭିଡ ଗାଇଡଲାଇନ୍
୧) ୯ ରୁ ୧୨ ତାରିଖ ଯାଏ କେବଳ ପୂଜକ ଓ ସେବାୟତଙ୍କୁ ନେଇ ଗୁପ୍ତେଶ୍ବର ମନ୍ଦିର ପରିସରରେ ନୀତି ଅନୁଷ୍ଠିତ ହେବ।
୨) ଗୁପ୍ତେଶ୍ବର ଶିବରାତ୍ରୀ ସମୟରେ କୌଣସି ବାହାର ଲୋକଙ୍କୁ ମନ୍ଦିର ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରବେଶକୁ ନିଷେଧ କରାଯାଇଛି।
୩) ବିନା ଭକ୍ତରେ ଯେପରି ଭାବେ ଗୁପ୍ତେଶ୍ବରଙ୍କର ସମସ୍ତ ଦେବକାର୍ଯ୍ୟ ସମାପନ ହେବ ସେନେଇ ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ, ଗୁପ୍ତେଶ୍ବର ମନ୍ଦିର ତଥା ତହଲସିଲଦାର,ଜୟପୁର ଉତ୍ତରଦାୟୀ ରହିବେ।
୪) ମହାଶିବରାତ୍ରୀ ପାଇଁ ମନ୍ଦିରର ପରିସରକୁ ଯେପରି ଭାବେ ସ୍ବଚ୍ଛ କରାଯିବ ସେନେଇ ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଗୁରୁତ୍ବ ଦେବେ।
୫) କୌଣସି ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୌଣସି ଜନସମାଗମକୁ ବାରଣ କରାଯାଇଛି।
୬) ନିୟମାବଳିକୁ ଯେପରି ଭାବେ ନ ଭାଙ୍ଗିବେ ସେନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରବେଶ ଓ ପ୍ରସ୍ଥାନକୁ ଗୁରୁତ୍ବ ଦେବେ।
୭) ମନ୍ଦିର ପରିସର ମଧ୍ୟକୁ ସେବାୟତ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ କୋଭିଡ ଟେଷ୍ଟ ସହ ଥର୍ମାଲ ସ୍କାନିଂ ହେବ, ସେନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କୋରାପୁଟ ଆବଶ୍ୟକ ଗୁରୁତ୍ବ ଦେବେ।
୮) ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜୟପୁର ଉପଜିଲ୍ଲାପାଳ ସମସ୍ତ ଦାୟିତ୍ବ ଗ୍ରହଣ କରିବେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସହ ସମ୍ପର୍କ ରକ୍ଷା କରି କାର୍ଯ୍ୟ କରିବେ।
୯) ଯଦି ଆବଶ୍ୟକ ହୁଏ ତେବେ ଉପଖଣ୍ଡ ଦଣ୍ଡାଧିକାରୀ ତଥା ଜୟପୁର ଉପଜିଲ୍ଲାପାଳ ୧୪୪ ଧାରା ଜାରି କରିପାରିବେ।
୧୦) ତୀର୍ଥଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାପାଳଙ୍କୁ ଶାବେରୀ ନଦୀ ଉପରେ ଅସ୍ଥାୟୀ କାଠ ସେତୁ ଉପରେ ପାବନ୍ଧି ଲାଗାଯିବାକୁ କୁହାଯାଇଛି।
କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁପ୍ତେଶ୍ବର ମହାଶିବରାତ୍ରୀକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜୟପୁର ଉପଜିଲ୍ଲପାଳ ହେମକାନ୍ତ ସୟ, କୋରାପୁଟ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ, କୋରପୁଟ ସାଂସଦଙ୍କ ପ୍ରତିନିଧି ମନୋଜ କୁମାର ଆଚାର୍ଯ୍ୟ, ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ, ହସ୍ତ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ବୈକୁଣ୍ଠ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ମକରନ୍ଦ ବେଉରା, ଜୟପୁର ତହସିଲଦାର ପ୍ରଧାନ ଟୁଲ୍ଲିଆମ୍ମା,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ବୈପାରିଗୁଡା ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ହଳଦୀକୁଣ୍ତ ସରପଞ୍ଚ, ଗୁପ୍ତେଶ୍ବର ପଞ୍ଚାୟତ ସମିତି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
The post ଗୁପ୍ତେଶ୍ବର ପୀଠରେ ମହାଶିବରାତ୍ରୀ: କୋଭଡି-୧୯ କଟକଣା ସହ ହେବ ପାଳନ, ଭକ୍ତଙ୍କୁ ମନା first appeared on Sambad.
from କରୋନା – Sambad https://ift.tt/3bo2S5X
0 Comments