ସଂକ୍ରମିତ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜଗ
ସୁପର ସ୍ପ୍ରେଡର ହୋଇପାରନ୍ତି: ସ୍ବାସ୍ଥ୍ୟ ବିଭାଗ
ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
କଠୋର ନିଷ୍ପତ୍ତି ସମ୍ଭାବନା, ପୁଣି କଟକଣା ଲାଗିବ

ଭୁବନେଶ୍ବର : ରାଜ୍ୟରେ କରୋନା ଦ୍ବିତୀୟ ଲହରୀ ସଙ୍କେତ ମିଳିବା ପରେ ସରକାରୀ ତନାଘନା ଆରମ୍ଭ ହୋଇଯାଇଛି। ଏଥର ବି ଆରମ୍ଭରୁ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କର ସବୁ ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପିଙ୍କ ସହିତ ଆଲୋଚନା କରିବେ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ରାଜ୍ୟରେ କୋଭିଡ୍‌କୁ ରୋକିବା ପାଇଁ ସରକାର ଆରମ୍ଭରୁ କିଛି କଠୋର ନିଷ୍ପତ୍ତି ନେଇପାରନ୍ତି। ରାଜ୍ୟକୁ ନାଇଟ୍ କର୍ଫ୍ୟୁ ଫେରିବା ସମ୍ଭାବନା ଅଧିକ। ରାତି ୧୦ରୁ ସକାଳ ପାଞ୍ଚ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିପାରେ। ଆହୁରି ବଡ଼ କଥା ହେଲା, ସରକାର ଇତିମଧ୍ୟରେ ବିବାହ, ମହୋତ୍ସବ, ଶୁଦ୍ଧି, ବୈଠକ ଆଦିରେ ୫୦୦ ପର୍ଯ୍ୟନ୍ତ ଲୋକଙ୍କ ସମାଗମ ପାଇଁ ଅନୁମତି ଦେଇଛନ୍ତି। ଏହାକୁ ଅଧାରୁ କମ୍ କରାଯାଇପାରେ। କେବଳ ସେତିକି ନୁହେଁ, ବଜାରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଭଳି ଅନେକ କଡ଼ା ପଦକ୍ଷେପକୁ ସରକାର ଫେରିବା ସମ୍ଭାବନା ଅଧିକ। ଏହା ସହିତ ଲୋକଙ୍କୁ ସଚେତନ କରିବା ପାଇଁ କିଛି ଠୋସ୍ ନିଷ୍ପତ୍ତି ହୋଇପାରେ।

ଏହାର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବି ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶ୍ରୀ ମହାପାତ୍ର ସିଧା ସିଧା କହିଛନ୍ତି ଯେ କୋଭିଡ୍ ସ୍ଥିତି ଅତି ଗମ୍ଭୀର ଥିବା ରାଜ୍ୟରୁ ଯେଉଁମାନେ ଆସୁଛନ୍ତି, ସେମାନେ ହିଁ ହେଉଛନ୍ତି ସୁପର୍ ସ୍ପ୍ରେଡ଼ର। ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ। ବିଶେଷକରି ମହାରାଷ୍ଟ୍ର, ପଞ୍ଜାବ, କେରଳ, ଗୁଜରାଟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବାକୁ ହେବ। ଏଇଥିପାଇଁ ଯେ କଟକରେ ଯେଉଁ ପ୍ରତିଷ୍ଠାନରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁଡୁଚେରିରୁ ଆସିଥିଲେ। ଭୁବନେଶ୍ବରରେ ଜାଭିଅରରେ ଯେଉଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି,ତା ପଛରେ କାରଣ ହେଲା, ମହାରାଷ୍ଟ୍ରର କିଛି ଛାତ୍ର ଏଥିରେ ସାମିଲ ହୋଇଥିଲେ।

ଆଜି ସରକାର କହିଛନ୍ତି ଯେ ପୁଣି ଥରେ ସରପଞ୍ଚ, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ। ଏସବୁ ଲୋକଙ୍କୁ ସଙ୍ଗରୋଧରେ ରହିବା ଲାଗି ପରାମର୍ଶ ଦେବେ। କେବଳ ସେତିକି ନୁହେଁ, କୋଭିଡ୍ ଯୋଦ୍ଧାମାନେ ଇତିମଧ୍ୟରେ ଟିକା ନେଇଛନ୍ତି। ତା’ ସତ୍ତ୍ବେ ସେମାନଙ୍କୁ କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବା ବଜାରମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବାକୁ ହେବ। ଏସବୁ କ୍ଷେତ୍ରରେ କୌଣସି ଯେପରି ଖିଲାପ ନ ହୁଏ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଜି ନିର୍ଦେଶ ଦିଆଯାଇଛି।

The post ଥମୁନି କରୋନା : ଫେରିବ ନାଇଟ୍‌ କର୍ଫ୍ୟୁ! first appeared on Sambad.

from କରୋନା | Sambad https://ift.tt/3r6p2Ow