ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୮,୯୦୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ। ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଏବଂ କେରଳରେ ଦୈନିକ ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି ଏବଂ ଏଥିସହ ସକ୍ରିୟ ମାମଲା ମଧ୍ୟ ବଢ଼ୁଛି। ଉପରୋକ୍ତ ୬ ରାଜ୍ୟରୁ ପ୍ରାୟ ୮୬ ପ୍ରତିଶତ ନୂଆ ମାମଲା ରହିଛି। କେବଳ ମହାରାଷ୍ଟ୍ରରେ ୧୭,୮୬୪ ନୂଆ ସଂକ୍ରମଣ ମାମଲା ରହିଛି। ଏହା ପଛକୁ କେରଳରେ ୧୯୭୦ ଏବଂ ପଂଜାବରେ ୧୪୬୩ ନୂଆ ମାମଲା ଚିହ୍ନଟ ହୋଇଛି।

‌‌ତେବେ ୩ ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଂଜାବରେ ୭୬ ପ୍ରତିଶତ ସକ୍ରିୟ ମାମଲା ରହିଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୮୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେବଳ ୬ ରାଜ୍ୟରୁ ୮୬.୭ ପ୍ରତିଶତ ନୂଆ କରୋନା ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮୭, ପଂଜାବରେ ୩୮ ଏବଂ କେରଳରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୧୬ ରାଜ୍ୟର ୭୦ଟି ଜିଲ୍ଲାରୁ କରୋନା ସଂକ୍ରମଣ ମାମଲାରେ ୧୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ବୋଲି ସରକାର କହିଛନ୍ତି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି ପା‌ଇଛି ଏବଂ କରୋନା ମୃତ୍ୟୁ ୧,୫୯,୦୪୪ ରେ ପହଞ୍ଚିଛି। ଦେଶରେ ଏଯାବତ୍‌ ୩,୪୮,୫୯,୩୪୫ ଜଣଙ୍କୁ ଟିକା‌ ଦିଆଯାଇଛି। ଦେଶରେ ସକ୍ରିୟ ମାମଲା ୨,୩୪,୪୦୬ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨.୦୫ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୬.୫୬ ପ୍ରତିଶତକୁ ଖସିଛି।

The post ବଢ଼ିଚାଲିଛି କରୋନା ସଂକ୍ରମଣ: ଦିନକରେ ୨୮,୯୦୩ ନୂଆ ସଂକ୍ରମଣ, ଚଳିତ ବର୍ଷରେ ସର୍ବାଧିକ first appeared on Sambad.

from କରୋନା | Sambad https://ift.tt/3tvWLCv