
ବାଲେଶ୍ବର : ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ବାଲେଶ୍ବରରୁ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ ହେଲେ ନିଳିଆବାଗର ବୀରେନ୍ଦ୍ର ରାଉତ। ଆଉ ତାପରେ ତତ୍ପର ହୋଇ ଉଠିଥିଲା ପ୍ରଶାସନ। ଲକଡାଉନ, ସଟଡାଉନ ଘୋଷଣା କରିବା ସହ କରୋନା ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା।
କଡ଼ାକଡ଼ି କରାଗଲା କୋଭିଡ୍ ନିୟମ। ଜିଲ୍ଲା ସଦର ମହକୁମାରେ କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଥିଲା। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୧ହଜାର ୩୯ଟି ସଙ୍ଗରୋଧ କେନ୍ଦ୍ର ବି ଖୋଲିଥିଲା। କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନର ଏତେ ସବୁ ବ୍ୟବସ୍ଥା ସତ୍ତ୍ବେ ବାଲେଶ୍ବର ଜିଲ୍ଲାରୁ ସମୁଦାୟ ୧୨ ହଜାର ୩୨୪ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ତା’ ଭିତରେ ବାଲେଶ୍ବର ସଦର ବ୍ଲକ ଓ ପୌରାଞ୍ଚଳରୁ ସର୍ବାଧିକ ୩ହଜାର ୧୫୦ ଜଣ କରୋନା ଆକ୍ରାନ୍ତ ରହିଥିଲେ। ସେହିଭଳି ବାହାନଗାରେ ୭୬୭, ବାଲିଆପାଳରେ ୯୫୮, ବସ୍ତାରେ ୬୭୭, ଭୋଗରାଇରେ ୭୧୩, ଜଳେଶ୍ବରରେ ୮୨୨, ଖଇରାରେ ୭୮୭, ନୀଳଗିରିରେ ୬୮୮, ଔପଦାରେ ୪୪୧, ରେମୁଣାରେ ୧୨୬୧, ସିମୁଳିଆରେ ୬୪୭ ଓ ସୋର ବ୍ଳକରେ ୮୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ସରକାରୀ ହିସାବରେ ଜିଲ୍ଲାରୁ ମାତ୍ର ୯୬ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ବର୍ତ୍ତମାନ ଯଦିଓ ବାଲେଶ୍ବରରେ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି ତଥାପି ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇ ପାରିନାହିଁ। ପ୍ରତିଦିନ ନ ହେଲେ ବି ମଝିରେ ମଝିରେ ବାହାରୁଛନ୍ତି ସଂକ୍ରମିତ।
ମିଳିଥିବା ସୂଚନା ଅନୁଯାୟୀ ଜାନୁଆରି ୧୩ରୁ ମାର୍ଚ୍ଚ ୧୩ ମଧ୍ୟରେ ଜିଲ୍ଲାରୁ ୧୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି କିଛି ରାଜ୍ୟରେ କରୋନାର ଦ୍ବିତୀୟ ଲହରି ଆରମ୍ଭ ହୋଇଯାଇଛି।
The post କରୋନା ବିଭୀଷିକା : ବାଲେଶ୍ବରରୁ ଯାଇନି କରୋନା ଭୟ; ସ୍ଥିତି ନିୟନ୍ତ୍ରଣାଧୀନ, ବିପଦ ଟଳିନି first appeared on Sambad.
from କରୋନା – Sambad https://ift.tt/3crgdJQ
0 Comments