ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା‌ରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ଜଣ କ୍ୱାରାଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୬ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଲଗାତାର ଭାବେ ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦ରୁ ଅଧିକ ରହିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସ୍ଥିତିକୁ କିଭଳି ନିୟନ୍ତ୍ରଣ କରି ହେବ, ସେନେଇ ପ୍ରତଦିନ ମାନସମନ୍ଥନ ଚାଲିଛି। ବିଶେଷକରି ରାଜ୍ୟ ସରକାରଙ୍କ କଡ଼ା କଟକଣା ସତ୍ତ୍ୱେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ପାଳିତ ହୋଇଛି। ତେଣୁ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି।

ସୋମବାର ଦିନ ନୂଆପଡ଼ା ଜିଲ୍ଲାରୁ ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ୩୩ଜଣ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ନୂଆପଡ଼ାରୁ ୩୬, ଅନୁଗୁଳରୁ ୩, ବାଲେଶ୍ୱରରୁ ୮, ବରଗଡ଼ରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୨, କେନ୍ଦ୍ରାପଡ଼ାରୁ ୩, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୧, ପୁରୀରୁ ୯, ରାୟଗଡ଼ାରୁ ୧, ସମ୍ବଲପୁରରୁ ୫, ସୁନ୍ଦରଗଡ଼ରୁ ୭ ଓ ଷ୍ଟେଟପୁଲ୍‌ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ରେ ପହଞ୍ଚିଛି। ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭୩୭କୁ ବୃଦ୍ଧି ପାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତିକର ଖବର ଆଣିଛି।

The post ରାଜ୍ୟରୁ ଆଉ ୨୦୮ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ; ସକ୍ରିୟ ସଂକ୍ରମଣ ୧୭୦୦ ଟପିଲା first appeared on Sambad.

from କରୋନା | Sambad https://ift.tt/3cy3JkU