
ଭୁବନେଶ୍ବର/ନୂଆଦିଲ୍ଲୀ : ବ୍ରିଟେନ୍ରୁ ଓଡ଼ିଶା ଫେରିଥିବା ୩ଜଣଙ୍କ ଠାରେ ବ୍ରିଟେନ୍-ଭୂତାଣରୁ ସ୍ବତନ୍ତ୍ର ଷ୍ଟ୍ରେନ୍ (ବି.୧.୧.୭) ଚିହ୍ନଟ କରାଯାଇଛି। ଗତବର୍ଷ ଡିସେମ୍ବରରେ ସଂପୃକ୍ତ ଆକ୍ରାନ୍ତମାନେ ବ୍ରିଟେନ୍ରୁ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ କରୋନାର ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଭାରିଏଣ୍ଟ ଓଡ଼ିଶାରେ ଦେଖିବାକୁ ମିଳିନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ସଂପର୍କିତ ତଥ୍ୟ ପ୍ରକାଶ କରାଯାଇଛି। ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି)ରେ ହୋଇଥିବା ପରୀକ୍ଷାରୁ ଏହା ଜଣାପଡ଼ିଛି। କରୋନାର ଭୂତାଣୁର ଏହି ଷ୍ଟ୍ରେନ୍ ଅତ୍ୟନ୍ତ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ କେଉଁ କେଉଁ ରାଜ୍ୟରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଓ ଭାରିଏଣ୍ଟ ଚିହ୍ନଟ ହୋଇଛି ସେସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ଓଡ଼ିଶାର ୩ଜଣଙ୍କଠାରେ ବ୍ରିଟେନ୍ ଷ୍ଟ୍ରେନ୍ ରହିଥିବା କୁହାଯାଇଛି। ଦେଶରେ ସମୁଦାୟ ୭୩୬ଜଣଙ୍କଠାରେ ବ୍ରିଟେନ୍ ଷ୍ଟ୍ରେନ୍ ଦେଖିବାକୁ ମିଳିଥିବା ବେଳେ ଦକ୍ଷିଣ ଆଫ୍ରିକା ଭାରିଏଣ୍ଟ(ବି.୧.୩୫୧) ୩୪, ବ୍ରାଜିଲ ଭାରିଏଣ୍ଟ(ପି୧) ମାତ୍ର ଜଣଙ୍କଠାରେ ଚିହ୍ନଟ କରାଯାଇଛି। ସମୁଦାୟ ଭାବେ ୭୭୧ଜଣଙ୍କଠାରେ ବିଦେଶୀ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।
ରାଜ୍ୟରେ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ ସଂପର୍କରେ ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ ଗତବର୍ଷ ଡିସେମ୍ବର ମାସରେ ବ୍ରିଟେନ୍ରୁ ଫେରିଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ଓଡ଼ିଶାରେ ୩ଜଣ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ନିକଟରେ ସୂଚନା ରହିଥିଲା। ମାତ୍ର ଲୋକ ଯେପରି ଭୟଭୀତ ନ ହେବେ ତାହାକୁ ନଜରରେ ରଖି ଏହାକୁ ପ୍ରକାଶ କରାଯାଇ ନ ଥିଲା। ଏବେ ଏହାକୁ ନେଇ ଭୟଭୀତ ନ ହେବାକୁ ଶ୍ରୀ ମହାପାତ୍ର କହିଛନ୍ତି।
The post ଓଡ଼ିଶାରେ ବ୍ରିଟେନ୍ ଭୂତାଣୁ, ରାଜ୍ୟର ୩ ଜଣଙ୍କଠାରେ ମିଳିଥିଲା ବ୍ରିଟେନ ଷ୍ଟ୍ରେନ୍ first appeared on Sambad.from କରୋନା | Sambad https://ift.tt/3d99p45
0 Comments