ମହାରାଷ୍ଟ୍ରରେ କରୋନାର ଉଗ୍ର ରୂପ: ଦିନକରେ ୧୩ ହଜାରରୁ ଅଧିକ ସଂକ୍ରମିତ, ନାଗପୁରରେ ୧୫ରୁ ୨୧ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍‌

ମୁମ୍ବାଇ : ମହାରାଷ୍ଟ୍ର‌ ସଂକ୍ରମଣ ସରକାରଙ୍କ ଚିନ୍ତା ବଢ଼ାଇଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୩,୬୫୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ୧୫୪ ଦିନ ମଧ୍ୟରେ ସର୍ବାଧିକ। ଗତବର୍ଷ ଅକ୍ଟୋବର ୭ରେ ମହାରାଷ୍ଟ୍ରରେ ସର୍ବାଧିକ ୧୪,୫୭୮ ସଂକ୍ରମଣ ମାମଲା ଥିଲା। ତେବେ ଗତ ମଙ୍ଗଳବାର ତୁଳନାରେ ମହାରାଷ୍ଟ୍ର ସଂକ୍ରମଣ ଗତକାଲି ପୁଣି ୪୦ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ୍‌ ସଂକ୍ରମଣ ମାମଲା ୨୨,୫୨,୦୫୭ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୫୨,୬୧୦ ରହିଛି। ମୁମ୍ବାଇରେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୫୩୯ ମାମଲା ଚିହ୍ନଟ ହୋଇଛି। ଅକ୍ଟୋବର ୨୧ ପ‌ରେ ଏହା ସର୍ବାଧିକ ମାମଲା। ଗତବର୍ଷ ଠିକ୍‌ ଆଜିର ଦିନରେ ତଥା ମାର୍ଚ୍ଚ ୧୧ରେ ମୁମ୍ବାଇରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା। ବର୍ଷକ ପରେ ମୁମ୍ବାଇରେ ସଂକ୍ରମଣ ମାମଲା ୩.୩୭ ଲକ୍ଷ ଏବଂ ମୃତ୍ୟୁସଂଖ୍ୟା ୧୧,୫୧୫ ରହିଛି। ନାଗପୁରରେ ସ୍ଥିତି ଉଦ୍‌ବେଗଜନକ ହେବାରୁ ଆଜି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଆସନ୍ତା ୧୫ରୁ ୨୧ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, ଆଗକୁ ଅନ୍ୟ ଅଂଚଳରେ ମଧ୍ୟ ସଂକ୍ରମଣ ନ କମିଲେ ଲକ୍‌ଡାଉନ୍‌ ଲାଗୁହେବ। ଏ ବାବଦରେ ସମୀକ୍ଷା ବୈଠକ ପରେ ହିଁ ଲକ୍‌ଡାଉନ୍‌ ସଂକ୍ରାନ୍ତ ଅଧିକ ନିଷ୍ପତ୍ତି ନିଆ‌ଯିବ ବୋଲି ସେ କହିଛନ୍ତି। ଲକ୍‌ଡାଉନ୍‌ ଭିତରେ ବି ଶିଳ୍ପାନୁଷ୍ଠାନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନ ବଜାର ଖୋଲା ରହିବ। ଅବରୋଧ ଅଂଚଳଗୁଡ଼ିକରେ ମଧ୍ୟ ପୂର୍ବଭଳି କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଔରଙ୍ଗାବାଦ୍‌ରେ ସମ୍ପୂର୍ଣ୍ଣ ସାପ୍ତାହିକ ଲକ୍‌ଡାଉନ୍‌ ଜାରି ହେବା ପରେ ପ୍ରଶାସନ ଏ ନେଇ ତତ୍ପରତା ଦେଖାଇଛି। ପୁନେର ୧୬ ହଟ୍‌ସ୍ପଟ୍‌ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ମୁମ୍ବାଇ, ନାଶିକ, ପୁନେ, ଅକୋଲା, ନାଗପୁରରେ ଲଗାତାର ସଂକ୍ରମଣ ବଢ଼ୁଥିବାରୁ ଲୋକେ ସତର୍କ ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ଲୋକ କୋଭିଡ୍‌ ନିୟମାବଳୀ ପାଳନ କରିବାପାଇଁ ଠାକ୍‌ରେ ଗୁରୁତ୍ବାରୋପ କରିଛନ୍ତି।

ମହାରାଷ୍ଟ୍ର ସଂକ୍ରମଣ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ: କୋଭିଡ୍‌ ଟାସ୍କଫୋର୍ସ ମୁଖ୍ୟ
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଅଚାନକ ସଂକ୍ରମଣ ବୃଦ୍ଧି ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ଏହା ସରକାରଙ୍କ ଚିନ୍ତା ବଢ଼ାଇଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ନିତି ଆୟୋଗ ସଦସ୍ୟ ତଥା କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ଟାସ୍କଫୋର୍ସ‌୍ ମୁଖ୍ୟ ଡ. ଭି କେ ପଲ୍‌ ଏହା କହିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ସଂକ୍ରମଣ ଏକ ସତର୍କ ଘଣ୍ଟି। ଏହା ୨ଟି ଶିକ୍ଷା ଦେଉଛି। ସଂକ୍ରମଣକୁ ଆଦୌ ସ୍ବାଭାବିକ ଭାବେ ଗ୍ରହଣ କରିବା ଉଚିତ୍‌ ନୁହେଁ । ଯଦି କରୋନା ମୁକ୍ତ ହେବାର ଅଛି ତେବେ ଆମକୁ କରୋନା ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ପଲ୍‌ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁଯାୟୀ ମହାରା‌ଷ୍ଟ୍ରରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ଏହା ଦେଶରେ ସର୍ବାଧିକ। ସର୍ବାଧିକ ସଂକ୍ରମଣ ମାମଲା ଥିବା ୧୦ ସହର ମଧ୍ୟରୁ କେବଳ ମହାରାଷ୍ଟ୍ରର ୮ଟି ସହର ରହିଛି। ଏଗୁଡ଼ିକ ହେଉଛି ପୁନେ, ନାଗପୁର, ଥାନେ, ମୁମ୍ବାଇ, ଅମରାବତୀ, ଜଲ୍‌ଗାଓଁ, ନାଶିକ୍‌ ଏବଂ ଔରଙ୍ଗାବାଦ୍‌। ଯେଉଁସବୁ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବଢ଼ିଛି ସେହି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ସ୍ବତନ୍ତ୍ର ବୈଠକ କରି ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରା‌ଜେଶ ଭୂଷଣ କହିଛନ୍ତି।

The post ମହାରାଷ୍ଟ୍ରରେ କରୋନାର ଉଗ୍ର ରୂପ: ଦିନକରେ ୧୩ ହଜାରରୁ ଅଧିକ ସଂକ୍ରମିତ, ନାଗପୁରରେ ୧୫ରୁ ୨୧ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍‌ first appeared on Sambad.



from କରୋନା – Sambad https://ift.tt/3bDX0FJ

Post a Comment

0 Comments