ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଉଦ୍‌ବେଗଜନକ ରୂପ ନେଇଛି ଏବଂ ଆଜି ଦୈନିକ ସଂକ୍ରମଣ ୫୦ ହଜାର ଟପିଯାଇଛି। ବିଗତ ୨୪ ଘଣ୍ଟାରେ ୫୩,୪୭୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୫ ମାସ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ। ମହାରାଷ୍ଟ୍ର ଏବଂ ଗୁଜରାଟରେ ଦୈନିକ ସଂକ୍ରମଣ ଅଚାନକ ବୃଦ୍ଧି ହେବାରୁ ଦେଶରେ ସଂକ୍ରମଣ ସ୍ଥିତି ଜଟିଳ ହୋଇଛି। ଗତକାଲିର ସଂକ୍ରମଣ ତୁଳନାରେ ଆଜି ୧୩ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ୩୧,୮୫୫ ନୂଆ ମାମଲା ସହ ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୫,୬୪,୮୮୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୯୦ ନୂଆ ମାମଲା ଚିହ୍ନଟ ହୋଇଛି। ଶେଷ ଥର ପାଇଁ ଦେଶରେ ଗତ ଅକ୍ଟୋବର ୨୩ରେ ସଂକ୍ରମଣ ମାମଲା ୫୪,୩୬୬ ଥିଲା।

ଆଜି ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୭,୮୭,୫୩୪କୁ ବୃଦ୍ଧି ପାଇଛି ଏବଂ ସକ୍ରିୟ ମାମଲା ୩, ୯୫, ୧୯୨ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୧,୬୦,୬୯୨କୁ ବୃଦ୍ଧି ପାଇଛି। ୬ ରାଜ୍ୟ ମହାରାଷ୍ଟ୍ର, ପଂଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ୮୦.୬୩ ପ୍ରତିଶତ ନୂଆ ମାମଲା ଏହି ୬ଟି ରାଜ୍ୟରୁ ଚିହ୍ନଟ ହୋଇଛି। ୩ ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଂଜାବରେ ୭୪.୩୨ ପ୍ରତିଶତ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର ପଛକୁ ପଂଜାବରେ ୨,୬୧୩ ଏବଂ କେରଳରେ ୨,୪୫୬ ନୂଆ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀ, ତାମିଲନାଡ଼ୁ, ଛତିଶଗଡ଼, କର୍ଣ୍ଣାଟକ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ପଂଜାବ, ମଧ୍ୟପ୍ରଦେଶରେ ମଧ୍ୟ ସଂକ୍ରମଣ ବଢ଼ୁଛି। ୬ ଟି ରାଜ୍ୟରୁ ୭୮.୪୮ ପ୍ରତିଶତ ଦୈନିକ କରୋନା ମୃତ୍ୟୁ ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା‌ ମଧ୍ୟରେ ସର୍ବାଧିକ ୯୫ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ୫.୩୧ କୋଟି ଲୋକଙ୍କୁ ଟିକା ଦିଆ ସରିଛି।

The post ଅନିୟନ୍ତ୍ରିତ ହେଲାଣି ସଂକ୍ରମଣ: ଦିନକରେ ୫୩,୪୭୬ ମାମଲା, ୫ ମାସରେ ସର୍ବାଧିକ first appeared on Sambad.

from କରୋନା | Sambad https://ift.tt/3tSr0DW