ଭୁବନେଶ୍ବର: ରାଜ୍ୟ ସରକାର କରୋନା ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ନୂଆ ଗାଇଡଲାଇନ୍‌ ଅନୁସାରେ ଲୋକଙ୍କୁ ବାହାଘରରେ ଅତିଥିସଂଖ୍ୟା ହ୍ରାସ କରିବାକୁ ପଡ଼ିବ। ପୂର୍ବରୁ ବାହାଘରରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳୁଥିବା ବେଳେ ଏବେ ଏହି ସଂଖ୍ୟା ୨୦୦ କରି ଦିଆଯାଇଛି।

ସେହିପରି ଅନ୍ତିମ ସଂସ୍କାର ଓ ଶୁଦ୍ଧିକ୍ରିୟା ସମୟରେ ୫୦୦ ଲୋକଙ୍କ ବଦଳରେ ୫୦ ଜଣ ଯୋଗଦେଇପାରିବେ। ବାହାଘର ଓ ଶୁଦ୍ଧିକ୍ରିୟା କାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥିମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ, ସେଥିପାଇଁ ଆୟୋଜକଙ୍କୁ ନଜର ରଖିବାକୁ ପଡ଼ିବ। ଅତିଥିମାନେ ଯଦି ମାସ୍କ ପିନ୍ଧି ନଥାନ୍ତି, ତା’ହେଲେ ପ୍ରବେଶ ପଥରେ ସେହିମାନଙ୍କୁ ମାସ୍କ ଯୋଗାଇ ଦେବାକୁ ପଡ଼ିବ। ନୂଆ କଟକଣା ଚଳିତ ମାସ ୨୬ ତାରିଖ ଠାରୁ ଲାଗୁ ହେବ ବୋଲି କୁହାଯାଇଛି।

ନୂଆଁ ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାର୍ଯ୍ୟକ୍ରମ ସ୍ଥଳରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ। ସେହିପରି ଥର୍ମାଲ ସ୍କି୍ନିଂର ବ୍ୟବସ୍ଥା କରାଯିବ। ହାତଧୋଇବା ପାଇଁ ସାବୁନ ଓ ପାଣି ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ।

ତେବେ ନୂଆ ମାର୍ଗଦର୍ଶିକା ଜାରି ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଥିଲେ । ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସ୍‌ଆରସି ପ୍ରଦୀପ ଜେନା ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ଜିଲ୍ଳାପାଳ,ଏସ୍‌ପିମାନଙ୍କ ସହ ଆଲୋଚନା କରିଥିଲେ। ସମୀକ୍ଷା ବୈଠକ ପରେ କରୋନା ସ୍ଥିତିକୁ ନେଇ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନକୁ କଡାକଡି ଭାବେ ଲାଗୁ କରିବା ଉପରେ ଗୁରୁତ୍ବ ଦେବା ସହ କଣ୍ଟାକ୍ଟ ଟ୍ରେସିଂ ଏବଂ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପ୍ରଶସନକୁ ନିର୍ଦ୍ଦେଶ ଦେଇଥିଲେ।

The post କରୋନା ପାଇଁ ନୂଆ ମାର୍ଗଦର୍ଶିକା: ବିବାହ ସମାରୋହରେ ୫୦୦ ବଦଳରେ ସାମିଲ ହୋଇପାରିବେ ୨୦୦ ଅତିଥି, ଶୁଦ୍ଧିକ୍ରିୟାରେ ୫୦ first appeared on Sambad.

from କରୋନା | Sambad https://ift.tt/3tO8dJS