ଭୁବନେଶ୍ବର : ଦୀର୍ଘ ୪୬ ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ‌ଶହେ ପାର କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ୬୦ଦିନ ପରେ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଛି। ରାଜଧାନୀରେ ଆଜି ୧୫ ଜଣ ଚିହ୍ନଟ ହୋଇଛନ୍ତି। ଦେଶର କିଛି ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରେ ସଂକ୍ରମଣ ଶହେ ପାର୍‌ କରିବା ଏହି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।

ରାଜ୍ୟର ୨୨ଟି ଜିଲ୍ଲାରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କଟକରୁ ସର୍ବାଧିକ ୨୦ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୧୫, ମୟୂରଭଞ୍ଜ ଓ ନୂଆପଡ଼ାରୁ ୯ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। କଟକରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ହେଲେ ଲଗାତାର ଭାବେ ସଂକ୍ରମଣ ଶହେ ତଳେ ରହୁଥିବା ବେଳେ ହଠାତ୍ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର୍ ହେବା, ରାଜ୍ୟରେ ଦ୍ବିତୀୟ ଲହର ଆଶଙ୍କାକୁ ବଢ଼ାଇ ଦେଇଛି। ଆଜିର ସଂକ୍ରମିତ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୫୯୯‌କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଲଗାତାର ୩ଦିନ ତୁଳନାରେ ଗତକାଲି ଅପେକ୍ଷାକୃତ କମ୍ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା ‌ହୋଇଥିଲେ ହେଁ ତହିଁରୁ ଶତାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪,୫୭୨ ନମୁନା ପରୀକ୍ଷା କରାଯାଇଛି। ସମୁଦାୟ ଭାବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୮୭ଲକ୍ଷ ୩୬ହଜାର ୬୮୯ କୋଭିଡ୍‌ ନମୁନା ପରୀକ୍ଷା ସରିଲାଣି।

ତେବେ ରାଜ୍ୟରେ ଜଣେ ହେଲେ ସଂକ୍ରମିତ କରୋନାରେ ପ୍ରାଣ ହରାଇନାହାନ୍ତି। କରୋନାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୯୧୮ରେ ସ୍ଥିର ରହିଛି। ଅପରପକ୍ଷରେ ଆଜି ୭୧ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୯୯୪କୁ ବୃଦ୍ଧି ପାଇଛି। ମାଲକାନଗିରି, ଗଜପତି ଓ ବୌଦ୍ଧ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ୧୧ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି।

The post ୪୬ ଦିନ ପରେ ଶହେ ଡେଇଁଲା କରୋନା, ଦିନକରେ ୧୧୦ ପଜିଟିଭ୍ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3vKoIIU