
ନୂଆଦିଲ୍ଲୀ: ଟିକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇପାରିବା ଭଳି ଅଧିକରୁ ଅଧିକ ଘରୋଇ ଡାକ୍ତରଖାନା ଚିହ୍ନଟ କରିବା ନିମନ୍ତେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁମତି ଦେବାକୁ ସ୍ଥିର କରିଛି।
ପ୍ରଥମେ କେବଳ ଆୟୁଷ୍ମାନ୍ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ତାଲିକାଭୁକ୍ତ ଡାକ୍ତରଖାନାମାନଙ୍କୁ ଡୋଜ୍ ପିଛା ୨୫୦ ଟଙ୍କା ମୂଲ୍ୟରେ ଲୋକମାନଙ୍କୁ ଟିକା ଦେବା ଲାଗି ଅନୁମତି ମିଳିଥିଲା। ସ୍ୱାସ୍ଥ୍ୟମନ୍ତ୍ରାଳୟ ରାଜ୍ୟଓ୍ଵାରି ଏହି ସବୁ ଡାକ୍ତରଖାନାଗୁଡ଼ିକର ତାଲିକା ପ୍ରକାଶ କରିଥିଲା।
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ମାର୍ଚ ୨ ତାରିଖ ଦିନ ତ୍ୱରାନ୍ଵିତ ହେବାରୁ କେନ୍ଦ୍ର ସରକାର କହିଲେ ଯେ, ଟିକା ଦେବା ଲାଗି ଯଥେଷ୍ଟସଂଖ୍ୟକ କର୍ମଚାରୀ, ଟିକା ନେଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖିବାକୁ ଯଥେଷ୍ଟ ସ୍ଥାନ, ଯଥେଷ୍ଟ ଶୀତଳିକରଣ ସୁବିଧା ଏବଂ କୌଣସି ପାର୍ଶ୍ୱପ୍ରତିକ୍ରିୟା ମୁକାବିଲା କରିବା ଲାଗି ଯଥେଷ୍ଟ ବ୍ୟବସ୍ଥା ଥିବା ଘରୋଇ ଡାକ୍ତରଖାନାଗୁଡ଼ିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଟିକାଦାନ କେନ୍ଦ୍ର କରାଇପାରିବେ।
‘ଭ୍ୟାକ୍ସିନେସନ୍ ସ୍ଲଟ୍’ ଖୋଲିବା ଲାଗି କେନ୍ଦ୍ର ସରକାର ଘରୋଇ ଡାକ୍ତରଖାନାଗୁଡ଼ିକୁ ୧୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ସମୟ ଦେବାକୁ କହିଛନ୍ତି। ଫଳରେ ଟିକା ନେବା ପାଇଁ ଲୋକମାନେ ଆଗୁଆ ବୁକିଙ୍ଗ୍ କରିପାରିବେ। ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନର ପ୍ରଥମ ଦୁଇ ଦିନରେ ଘରୋଇ ଡାକ୍ତରଖାନାଗୁଡ଼ିକୁ କେବଳ ଦିନେ ବା ଦୁଇ ଦିନ ଆଗରୁ ବୁକିଙ୍ଗ୍ କରିବା ଲାଗି ଅନୁମତି ଦିଆଯାଇଥିଲା।
ଭବିଷ୍ୟତରେ ଟିକା ଯୋଗାଣରେ ସଙ୍କଟ ଦେଖା ଦେବ ବିଚାରି ଟିକା ଗଚ୍ଛିତ କରି ନ ରଖିବା ଲାଗି ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ଶାସନ ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଇଥିଲେ।
The post ଅଧିକ ଘରୋଇ ହସ୍ପିଟାଲ୍ ହେବ ଟିକାକରଣ କେନ୍ଦ୍ର, ନିଷ୍ପତ୍ତି ନେବାକୁ ରାଜ୍ୟମାନଙ୍କୁ ଅନୁମତି ଦେଲେ କେନ୍ଦ୍ର ସରକାର first appeared on Sambad.
from କରୋନା – Sambad https://ift.tt/3bQnaE0
0 Comments