
ବେକରେ ଝୁଲାଅନି, ନାକ ଘୋଡ଼ାଇ ମାସ୍କ ପିନ୍ଧ
ହାତ ଧୁଅ, ସାମାଜିକ ଦୂରତା ରଖ
ପୁଲିସ ଓ ପ୍ରଶାସନକୁ ଯାଞ୍ଚ ନିର୍ଦ୍ଦେଶ
ଛତିଶଗଡ଼, ମହାରାଷ୍ଟ୍ର, ପଞ୍ଜାବରେ ସ୍ଥିତି ବିଗୁଡ଼ୁଛି
ଭୁବନେଶ୍ବର : ‘‘ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ। ବିପଦ ଏବେ ବି ଟଳିନାହିଁ। ଏଣୁ ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। ବେକରେ ଝୁଲାଇକରି ନୁହେଁ, ଠିକ୍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା। ଘରକୁ ଫେରିଲେ ସାବୁନରେ ଭଲ କରି ହାତ ଧୋଇବା। ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ। ସାମାଜିକ ଦୂରତ୍ବ ରକ୍ଷା କରି ହାଟ ବଜାର ଆଦି ସ୍ଥାନକୁ ଯିବା ଓ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରିବା ନାହିଁ।’’
ଦେଶରେ ବିଭିନ୍ନ ଭାଗରେ କରୋନା ପୁଣି ଥରେ କାୟା ମେଲାଇଛି। ରାତି ପାହିଲେ କରୋନାକୁ ଓଡ଼ିଶାରେ ବର୍ଷେ (୨୦୨୦ ମାର୍ଚ୍ଚ ୧୫ ତାରିଖ) ଛୁଇଁବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଏଭଳି ଢଙ୍ଗରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି। ଏକଥା ବି କହିବାକୁ ଭୁଲିନାହାନ୍ତି ଯେ କରୋନା ନିୟମାବଳୀର ଅନୁପାଳକୁ କଡ଼ାକଡ଼ି ଭାବେ ତଦାରଖ କରିବାଲାଗି ପ୍ରଶାସନ ଓ ପୁଲିସକୁ ସେ ନିର୍ଦେଶ ଦେଇଛନ୍ତି। ଏଣୁ ସମସ୍ତେ ସତର୍କ ରହିବା ହିଁ ଭଲ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି। ମହାରାଷ୍ଟ୍ରରେ ଲକ୍ଡାଉନ୍ ଫେରିଛି। ଲକ୍ଡାଉନ୍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି। ଆମର ଅର୍ଥନୀତି, ସାମାଜିକ ଜୀବନ, ପିଲାମାନଙ୍କ ପାଠପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବେ ପ୍ରଭାବିତ କରିଥିଲା। ରାଜ୍ୟବାସୀଙ୍କ ତ୍ୟାଗ ଓ ସହଯୋଗ କାରଣରୁ ବର୍ତମାନ ସ୍ଥିତି ସ୍ବାଭାବିକ ରହିଛି। ଆଉ ଥରେ ଲକ୍ଡାଉନ୍ ଫେରୁ ଏକଥା କେହି ବି ଚାହୁଁନାହାନ୍ତି। ହେଲେ ଆମେ ସତର୍କ ରହିଲେ ଲକ୍ଡାଉନ୍ ଭଳି ସ୍ଥିତି ଉପୁଜିବ ନାହିଁ। ଏଥିପାଇଁ ପୂର୍ବଭଳି କୋଭିଡ୍ ନିୟମାବଳୀକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଦରକାର। ମୁଖ୍ୟମନ୍ତ୍ରୀ ଏକଥା ବି ମନେ ପକାଇ ଦେଇଛନ୍ତି ଯେ କରୋନା ବିରୋଧରେ ଲଢ଼େଇରେ ରାଜ୍ୟର ବହୁ ଯୋଦ୍ଧାଙ୍କୁ ହରାଇଛୁ। ସେମାନଙ୍କ ପରିବାର ଆଖିରୁ ଲୁହ ଶୁଖି ନାହିଁ। ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥଯିବାକୁ ଦେବା ନାହିଁ। ସତର୍କ ରହିବା ହିଁ ସହିଦ୍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଓଡ଼ିଶା ଆଜି କରୋନା ନିୟନ୍ତ୍ରଣରେ ଭଲ ସ୍ଥିତିରେ ରହିଛି ଓ ‘ହୁ’ ପ୍ରଶଂସା କରିଛି। ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି। କରୋନା ଟିକାକରଣ ରାଜ୍ୟରେ ସଫଳ ଭାବେ ଚାଲିଛି ବୋଲି ଜଣାଇ ନବୀନ କହିଛନ୍ତି ଯେ ରାଜ୍ୟବାସୀଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ସେମାନେ ନିଶ୍ଚୟ ଅନୁରୋଧ ରକ୍ଷା କରିବେ। ସମସ୍ତେ ସହଯୋଗ କଲେ ଶୂନ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା।
The post କରୋନା ବିପଦ ଟଳିନି, ସତର୍କ କରାଇଲେ ନବୀନ first appeared on Sambad.
from କରୋନା – Sambad https://ift.tt/3thYw6j
0 Comments