ବ୍ରହ୍ମପୁର: ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ ଥର ପାଇଁ ରାଜ‌୍ୟରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା। ଯେତେବେଳେ ଜିଲ୍ଲାରୁ ଜିଲ୍ଲାକୁ କରୋନା ବ୍ୟାପିଚାଲିଥିଲା, ସେହି ସମୟରେ ଗଂଜାମର ସ୍ଥିତି ଢେର ଭଲ ରହିଥିଲା। ଗଂଜାମ ଜିଲ୍ଲାବାସୀଙ୍କ ସହଯୋଗ ଓ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ଯୋଗୁଁ କରୋନା ଗଂଜାମରେ ମାଡ଼ି ପାରି ନଥିଲା। କିନ୍ତୁ ୨୦୨୦ ଏପ୍ରିଲ ୨୮ରେ ପ୍ରବାସୀମାନେ ଫେରିବା ପରେ କରୋନା ମେ‘ ୨ ତାରିଖରେ ଗଂଜାମରେ ପଦ ଥାପିଥିଲା। ଗ୍ରୀନ ଜୋନରେ ଥିବା ଗଂଜାମ କରୋନା ହଟସ୍ପଟ ହୋଇଥିଲା। ଅକ୍ଲାନ୍ତ ପରିଶ୍ରମ ପରେ ଜିଲ୍ଲାର ସ୍ଥିତି ସ୍ବାଭାବିକ ହୋଇଥିଲା। ବର୍ତ୍ତବାନ ପୁଣି କରୋନାର ଦ୍ବିତୀୟ ଲହର ଫେରିଛି। ଭୁବନେଶ୍ବର, କଟକ ଓ ସୁନ୍ଦରଗଡ଼ ଗୋଟିଏ ପରେ ଗୋଟିଏ ସ୍ଥାନରେ କରୋନା କାୟା ମେଳାଇ ଚାଲିଛି।

ଗଂଜାମରେ ଗତ ୧୦ ତାରିଖ ଠାରୁ ନିୟମିତ ଭାବେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ ହେ, ତାହା ଏକକ ସଂଖ୍ୟା ମଧ୍ୟରେ ରହିଛି। ୧୦ ତାରିଖ ଠାରୁ ଗତ ୧୮ ଦିନ ମଧ୍ୟରେ ଆଜି ସର୍ବାଧିକ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିବା କହି ପ୍ରଶାସନ ସବୁ କଟକଣାକୁ ଭୁଲି ଯାଇଛି। ଗଂଜାମକୁ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ପ୍ରତିଦିନ ସୁରତ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏଁ ଟ୍ରେନ ଆସୁଛି। କରୋନାର ଦ୍ବିତୀୟ ଲହର ପରେ ହଟସ୍ପଟ ପାଲଟିଥିବା ଏହି ୨ ସହରରୁ ପ୍ରତ୍ୟେକ ଦିନ ଶହ ଶହ ପ୍ରବାସୀ ଗଂଜାମକୁ ଛୁଟି ଆସୁଛନ୍ତି। ହେଲେ ସେମାନଙ୍କୁ କେବଳ ଥର୍ମାଲ ସ୍କ୍ରିନିଂ ପରେ ଛାଡ଼ି ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ରେଳଷ୍ଟେସନରେ ୩୨ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିବା ବେଳେ ୨ ଜଣଙ୍କର ପଜିଟିଭ ବାହାରିଛି। ସେମାନଙ୍କ ସଂପର୍କରେ ପ୍ରଶାସନ କୌଣସି ବିବରଣୀ ରଖୁ ନଥିବା ଚର୍ଚ୍ଚା ହେଉଛି। ଗତ ୨ ଦିନ ତଳେ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଆରଟିପିସିଆର ରିପୋର୍ଟ ଧରି ଆସିବା ବାଧ୍ୟତାମୂଳକ।

ପ୍ରବାସୀମାନେ ଗଂଜାମରେ ପହଂଚିବା ପରେ ସ୍ଥାନୀୟ ସରପଂଚ, ବିଡିଓ କିମ୍ବା ସହରାଂଚଳର ଅଧିକାରୀଙ୍କୁ ନିଜର ବିବରଣୀ ଦାଖଲ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇବେ ଏବଂ ୭ ଦିନ ଗୃହ ସଂଗରୋ‌ଧରେ ରହିବେ।  ଛତ୍ରପୁର ଓ ଖଲ୍ଲିକୋଲ ଷ୍ଟେସନରେ ମଧ୍ୟ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି କଟକଣା କାର୍ଯ୍ୟକାରୀ ‌‌ହୋଇନାହିଁ। ଏହି ସବୁକୁ ଅନୁଧ୍ୟାନ କଲେ ଗୋଟିଏ ପଟେ କଟକଣା ନାହିଁ। ଅନ୍ୟପଟେ ଶହ ଶହ ପ୍ରବାସୀ ଜିଲ୍ଲାକୁ ଫେରୁଛନ୍ତି। ଗଂଜାମର କରୋନା ସ୍ଥିତି ପୁଣି ବିସ୍ଫୋରକ ନହେବେ ପୁଣି କହିହେବ ନାହିଁ।

ଏଣୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟିଂ ବଢ଼ାଇବା ଦରକାର। ପୁଣି ସରପଂଚମାନଙ୍କ କରୋନା ତଦାରଖରେ କରିବା, କେଉଁ ପଂଚାୟତକୁ କେତ‌େ ପ୍ରମାସୀ ଫେରିଛନ୍ତି, ତାହାର ତଥ୍ୟ ସଂଗ୍ରହ କରିବା ସହ ପରୀକ୍ଷାକୁ ଗୁରୁତ୍ବ ଦେବା ଦରକାର ଅଛି। ବର୍ତ୍ତମାନ ଗଂଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏଥି ସହ ଆଉ ଦିନକ ପରେ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହୋଉଛି। ଏଥି ସହ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ହେବାକୁ ଯାଉଛି। ତେଣୁ ପ୍ରବାସୀମାନେ ଜିଲ୍ଲାକୁ ଫେରିବେ।

The post ଗଂଜାମରେ ପୁଣି ବିସ୍ଫୋରକ ରୂପ ନେଇପାରେ କରୋନା; କଟକଣା ନାହିଁ, ଫେରୁଛନ୍ତି ପ୍ରବାସୀ first appeared on Sambad.

from କରୋନା | Sambad https://ift.tt/3sI9y57