ଲଣ୍ଡନ୍‌: ନିଅଣ୍ଟିଆ ଯୋଗାଣ ଯୋଗୁଁ ଆସନ୍ତା ମାସରେ ଇଂଲଣ୍ଡ୍‌ରେ କୋଭିଡ୍‌-୧୯ ଟିକା ବଣ୍ଟନରେ ବିଳମ୍ବ ହେବ। ଭାରତର ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ରୁ ବହୁସଂଖ୍ୟାରେ ଆସୁଥିବା ଆଷ୍ଟ୍ରାଜେନିକା ଟିକା ପହଞ୍ଚିବାରେ ବିଳମ୍ବ ହିଁ ଏହାର କାରଣ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ଅତିରିକ୍ତ ୧.୭ ନିୟୁତ ଡୋଜ୍‌ ଟିକା ନିମନ୍ତେ ଇଂଲଣ୍ଡ୍‌ ‘ଏସ୍‌ଆଇଆଇ’କୁ ବରାଦ ଦେଇଛି।

ମାର୍ଚ ୨୯ ବେଳକୁ ଉଲ୍ଲେଖନୀୟ ସଂଖ୍ୟାରେ ଟିକା ଯୋଗାଣ ନିଅଣ୍ଟ ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି।

Image Courtesy of NDTV

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି, ଏ କଥା ସତ ଯେ, ସପ୍ତାହକ ପୂର୍ବରୁ ଆମେ କରିଥିବା ଯୋଜନା ଠାରୁ ଏବେ କମ୍‌ ଟିକା ମିଳୁଛି। ଭାରତର ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ରୁ ଟିକା ଆସିବାରେ ବିଳମ୍ବ ଏବଂ ଇଂଲଣ୍ଡ୍‌ରେ ଗୋଟିଏ ବ୍ୟାଚ୍‌ ଟିକାର ପୁନଃପରୀକ୍ଷା ଯୋଗୁଁ ଟିକା ବଣ୍ଟନରେ ମନ୍ଥରତା ଦେଖାଦେବ।

ଏହି କାରଣରୁ ଆମେ ମାର୍ଚ ମାସରେ ଯେତେ ଟିକା ପାଇଛନ୍ତି, ଏପ୍ରିଲ୍‌ ମାସରେ ତା’ଠାରୁ କମ୍‌ ଟିକା ପାଇବା। କିନ୍ତୁ, ଏପ୍ରିଲ୍‌ ମାସରେ ପାଇବାକୁ ଥିବା ଟିକା ଆମେ ଫେବ୍ରୁଆରି ମାସରେ ପାଇଥିବା ଟିକା ଠାରୁ ଯଥେଷ୍ଟ ଅଧିକ। ଏମିତିରେ ଆମେ ଯେତେସଂଖ୍ୟକ ଟିକା ପାଇବା ସେଥିରେ ଆମର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିହେବ।

ସୂଚନାଯୋଗ୍ୟ, ବ୍ରିଟେନ୍‌ ଉଭୟ ‘ଫାଇଜର୍‌’ ଏବଂ ‘ଆଷ୍ଟ୍ରାଜେନିକା’ ପ୍ରସ୍ତୁତ କୋଭିଡ୍‌-୧୯ ଟିକା ବ୍ୟବହାର କରୁଛି। ଅଳ୍ପ କିଛି ସପ୍ତାହ ପୂର୍ବରୁ ଭାରତର ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବ୍ରିଟେନ୍‌’କୁ ୫ ନିୟୁତ ଡୋଜ୍‌ ଟିକା ଯୋଗାଇ ଦେଇଛି।

The post ଭାରତର ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ରୁ ଯୋଗାଣରେ ବିଳମ୍ବ ହେତୁ ଇଂଲଣ୍ଡ୍‌ରେ କୋଭିଡ୍‌-୧୯ ଟିକା ବଣ୍ଟନରେ ମନ୍ଥରତା first appeared on Sambad.

from କରୋନା | Sambad https://ift.tt/38VzNNu