ଭୁବନେଶ୍ବର : କରୋନା ଟିକାକରଣ ଆରମ୍ଭ ହେବା ପରେ ଲୋକମାନେ ଏବେ ଢିଲା ହୋଇଗଲେଣି। ଗହଳି ଜାଗାରେ ସାମାଜିକ ଦୂରତ୍ବ ରହୁନାହିଁ। ଲୋକମାନେ ଠିକ୍ ଭାବେ ମାସ୍କ ପିନ୍ଧୁ ନାହାନ୍ତି। ବାରମ୍ବାର ଏ ସଂପର୍କରେ ବିଶେଷଜ୍ଞମାନେ ଗୁରୁତ୍ବ ଦେଉଥିଲେ ହେଁ, ଲୋକମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ୁନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ଓ ଲୋକମାନେ ସତର୍କ ରହିବା ଉପରେ ଜୋର ଦେଇଛନ୍ତି। ‌ଅନଲକ୍ ଯୋଗୁଁ ଲୋକମାନେ ଏସବୁ ନିୟମ ପାଳନକୁ ଭୁଲିଯିବାକୁ ବସିଲେଣି। ତେଣୁ ଏବେଠାରୁ ସତର୍କ ନ ହେଲେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, କରୋନାକୁ ନେଇ ଲୋକମାନଙ୍କ ଭିତରେ କୋହଳ ମନୋଭାବ ଦେଖିବାକୁ ମିଳୁଛି। ସଂକ୍ରମଣକୁ ଏଡ଼ାଇବାକୁ ହେଲେ ଆମକୁ ସତର୍କ ରହିବାକୁ ପଡ଼ିବ। ଦେଶର ୭/୮ଟି ରାଜ୍ୟରେ ଏବେ ୮୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଏହାକୁ କରୋନାର ଦ୍ବିତୀୟ ଲହରୀ ବୋଲି କହିବା ଠିକ୍ ହେବ ନାହିଁ। ତେଣୁ ସତର୍କ ନ ହେଲେ ରାଜ୍ୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି ବୋଲି ଡା.ମିଶ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୬୬ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାଫଳରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୨୫୮କୁ ବୃଦ୍ଧି ପାଇଛି। ହେଲେ ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟାରେ ବିଶେଷ ବୃଦ୍ଧି ଦେଖିବାକୁ ମିଳିନାହିଁ। ଗୋଟିଏ ଦିନରେ ଓଡ଼ିଶାରେ ୨୦,୪୦୬ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଯାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଆବଶ୍ୟକ। ଏଥିରେ ଆର୍‌ଟି-ପିସିଆର ନମୁନା ପରୀକ୍ଷା ଅଧିକା ହେବା ଦରକାର। ‌ନଚେତ୍ ସଂକ୍ରମିତଙ୍କ ସଂପର୍କରେ ଜାଣିବା କଷ୍ଟକର ହୋଇପଡ଼ିବ। ରାପିଡ୍ ଆଣ୍ଟିଜେନ୍ ପରୀକ୍ଷାରେ ସଂକ୍ରମିତଙ୍କ ସଂପର୍କରେ ପ୍ରକୃତ ଚିତ୍ର ଆସିପାରିବ ନାହିଁ।

ଏବେ କୌଣସି କଟକଣା ନ ଥିବାରୁ ଅନ୍ୟ ରାଜ୍ୟ/ଦେଶରୁ ଓଡ଼ିଶାକୁ ଲୋକମାନଙ୍କ ଯିବା ଆସିବା ଲାଗି ରହିଛି। ତେଣୁ ଅନ୍ୟ ରାଜ୍ୟରେ କରୋନା ଭୂତାଣରୁ ଯେଉଁ ଷ୍ଟ୍ରେନ୍ ଦେଖିବାକୁ ମିଳିଛି ତାହା ଓଡ଼ିଶାରେ ସଂକ୍ରମଣକୁ ବଢ଼ାଇ ଦେଇପାରେ। କେବଳ ବିଦେଶୀ ଷ୍ଟ୍ରେନ୍ ନୁହେଁ, ଭାରତରେ ମଧ୍ୟ କରୋନାରେ ଅନେକ ପ୍ରକାରର ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ତେଣୁ ରାଜ୍ୟ ସରକାର କରୋନା ସଂପର୍କିତ ନୟମାବଳୀକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ବ ଦେବା ଦରକାର। ଟିକା ନେଲେ ମଧ୍ୟ ଲୋକମାନେ କରୋନା ଭୂତାଣୁରେ ସଂକ୍ରମିତ ହୋଇପାରିବେ। ଟିକା ନେଲେ ଯେ କରୋନା ସଂକ୍ରମିତ ହେବେ ନାହିଁ ତାହା ଭାବିବା ଭୁଲ୍ ବୋଲି ଡା.ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରେ କରୋନାର ଦ୍ବିତୀୟ ଲହରୀ ଆସିବାର ଆଶଙ୍କା କମ୍ ବୋଲି ଯୁକ୍ତି ବାଢ଼ିଛନ୍ତି ଡା.ନିରଜ ମିଶ୍ର। ଡା.ମିଶ୍ର କହିଛନ୍ତି, ଗତବର୍ଷ ଅକ୍ଟୋବର ମାସରେ ଭୁବନେଶ୍ବରରେ ହୋଇଥିବା ସେରୋ ସ‌ର୍ବେକ୍ଷଣରେ ରାଜଧାନୀରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କଠାରେ ଆଣ୍ଟିବଡି ‌ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା। ଗତ ୫ମାସ ଭିତରେ ଏହାର ମାତ୍ରା ଆହୁରି ବଢ଼ିଥାଇପାରେ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ପଛରେ ଭୂତାଣରୁ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ର ଭୂମିକା ଅଧିକ ରହିଛି। ଓଡ଼ିଶାରେ କିଛିଦିନ ପୂର୍ବରୁ ବ୍ରିଟେନ୍‌ରୁ ଯେତିକି ସଂଖ୍ୟକ ଲୋକ ଫେରିଥିଲେ ସେମାନଙ୍କଠାରେ ବ୍ରିଟେନ୍ ‌ଷ୍ଟ୍ରେନ୍ ଚିହ୍ନଟ ହୋଇ ନ ଥିଲା। ହେଲେ ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ଲୋକମାନେ ଫେରୁଥିବାରୁ ସେସବୁ ରାଜ୍ୟରେ ଭୂତାଣରୁ ଷ୍ଟ୍ରେନ୍ ଓଡ଼ିଶାକୁ ଆସିବା ଅସମ୍ଭବ ନୁହେଁ। ତେଣୁ ଲୋକମାନେ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ଜରୁରି ବୋଲି ଡା.ମିଶ୍ର କହିଛନ୍ତି।

The post ଅନ୍ୟ ରାଜ୍ୟରୁ ଭୂତାଣୁ ଷ୍ଟ୍ରେନ୍ ଓଡ଼ିଶା ଆସିପାରେ first appeared on Sambad.



from କରୋନା – Sambad https://ift.tt/3rSztGK