ରାଉରକେଲା: ଦୁଇ ଦୁଇଥର ଟିକା ନେଇସାରିଥିବା ରାଉରକେଲାର ଜଣେ ବରିଷ୍ଠ ଡାକ୍ତରଙ୍କ ଆଇଜିଏଚରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଆରଏମଆରସିରୁ ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତର ଏସ୍ ସୁଲେମାନଙ୍କ କ୍ଷେତ୍ରରେ ଏଭଳି ଘଟିଛି।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧା ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ସରିଛି। ଏବେ ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଦୁଇ ଦୁଇଥର ଟିକା ନେଇସାରିଥିବା ରାଉରକେଲାର ଜଣେ ବରିଷ୍ଠ ଡାକ୍ତର ଏବେ ସଂକ୍ରମଣର ଶିକାର ହୋଇଥିଲେ, ଯାହାକି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଥିଲା। ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି।

ଜିଲ୍ଲା ଖଣିଜ ପ୍ରକଳ୍ପ(ଡିଏମ୍ଏଫ୍) ଦ୍ବାରା ନିଯୁକ୍ତ ହେଲାପରେ ଏହି ଡାକ୍ତର ଏସ୍ ସୁଲେମାନ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରେ ଆସିଷ୍ଟାଣ୍ଟ୍ ସର୍ଜନଭାବେ କାର୍ଯ୍ୟରତ। କୋଭିଡ୍ ମହାମାରୀ ସମୟରେ ସେ କୋଭିଡ୍ ଯୋଦ୍ଧାଭାବେ ଅନବରତ ସେବା ଯୋଗାଇଦେଇଥିଲେ। ଗତ ଜାନୁଆରି ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏହି କ୍ରମରେ ସେ ଜାନୁଆରି ୧୬ରେ ପ୍ରଥମ ଡୋଜ୍ ଓ ଫେବ୍ରୁଆରି ୧୫ ତାରିଖରେ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଟିକା ନେବାର ବେଶ୍ କିଛି ଦିନ ଯାଏଁ ସବୁ ଠିକଠାକ୍ ଚାଲିଥିଲା। ମାତ୍ର ମାର୍ଚ୍ଚ ପହିଲାରେ ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। କାଶ ଓ କଫ ଆଦି କୋଭିଡ୍ ଲକ୍ଷଣ ଦେଖିବାକୁ ମିଳିଥିଲା।

ତେବେ ଆଣ୍ଟିଜେନରେ କୋଭିଡ୍ ଟେଷ୍ଟ୍ କରିବାରୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ମାତ୍ର ଲକ୍ଷଣ ଦୂର ନ ହେବାରୁ ଗତ ୪ ତାରିଖରେ ଆର୍ଟିପିସିଆର୍ ଟେଷ୍ଟ୍ ହୋଇଥିଲା। ଏଥର କିନ୍ତୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଦ୍ବିତୀୟ ଡୋଜ୍ ଟିକା ନେବାପରେ ମଧ୍ୟ ଆକ୍ରାନ୍ତ ହେବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଦେଇଥିଲା। ତେବେ ପୁନର୍ବାର ପରୀକ୍ଷା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଥିଲା। ତାଙ୍କଠାରୁ ପୁଣିଥରେ ସ୍ବାବ୍ ଓ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ବର ଆସିଏମ୍ଆର୍କୁ ପଠାଯାଇଥିଲା। ଆସିଏମ୍ଆର୍ର ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଛି।

The post ଡାକ୍ତରଙ୍କ କରୋନା ରିପୋର୍ଟକୁ ନେଇ ଦ୍ବନ୍ଦ୍ବ: ଆଇଜିଏଚରେ ପଜିଟିଭ୍, ଆରଏମଆରସିରେ ନେଗେଟିଭ୍ first appeared on Sambad.



from କରୋନା – Sambad https://ift.tt/3bnTfEg