ତିନି ସପ୍ତାହ ହେଲା ବଢ଼ି ଚାଲିଛି ସଂକ୍ରମଣ: ସପ୍ତାହକରେ ୧୦% ବୃଦ୍ଧି, ମହାରାଷ୍ଟ୍ର, କେରଳ ସମେତ ୬ ରାଜ୍ୟରେ ୮୬.୨୫% ନୂଆ ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଗତ ସପ୍ତାହରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତ ବଢ଼ିଛି। ଯଦିଓ ପୂର୍ବ ସପ୍ତାହ(୧୯% ବୃଦ୍ଧି) ତୁଳନାରେ ଗତ ସପ୍ତାହ ଆଶ୍ବସ୍ତି ଆଣିଛି, ତେବେ ବିଗତ ତିନି ସପ୍ତାହ ଧରି ସଂକ୍ରମଣ ମାମଲା କ୍ରମାଗତ ବଢ଼ିଚାଲିବା ଚିନ୍ତାର ବିଷୟ ହୋଇଛି। ସେହିପରି ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧୮,୫୯୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ ମାମଲା ୧,୧୨,୨୯,୩୯୮ରେ ପହଞ୍ଚିଛି। ତେବେ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁ ପରି ମାତ୍ର ୬ଟି ରାଜ୍ୟରେ ମୋଟ ନୂଆ ସଂମକ୍ରମଣର ୮୬.୨୫ ପ୍ରତିଶତ ଦେଖାଯାଇଥିବା ଜଣାଯାଇଛି।

ସେହିପରି ଏହି ୨୪ ଘଣ୍ଟା ଭିତରେ ଦେଶରେ ୧୪,୨୭୮ ଜଣ ଆରୋଗ୍ୟ ଲାଭ କରିଥିବା ପୀଡ଼ିତଙ୍କୁ ମିଶାଇ ଅଦ୍ୟାବଧି ମୋଟ ୧,୦୮,୮୨,୭୯୮ ଜଣ କୋଭିଡ୍‌ରୁ ସୁସ୍ଥ ହୋଇଥିବା ଜଣାଯାଇଛି। ଅପରପକ୍ଷେ, ଏହି ଦିନକରେ ୯୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୧,୫୭,୮୫୩ ହୋଇଛି। ସେହିପରି ଦେଶରେ ସମ୍ପ୍ରତି ୧,୮୮,୭୪୭୮ ଜଣ ପୀଡ଼ିତ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ତେବେ ଆଶ୍ବସ୍ତିର ବିଷୟ, ଗତ ୨୪ ଘଣ୍ଟା ଭିତରେ ଅରୁଣାଚଳପ୍ରଦେଶ, ଆସାମ, ଓଡ଼ିଶା, ରାଜସ୍ଥାନ, ପୁଡୁଚେରି ଓ ଆଣ୍ଡାମାନ ନିକୋବର ଆଦି ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ମୃତ୍ୟୁ ଘଟିନଥିବା ଜଣାଯାଇଛି। ଅପରପକ୍ଷେ, ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଓ ହରିଆଣାରେ ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଆଶ୍ବସ୍ତ କରିବା ପରେ ସଚେତନ କରାଇଲା ଆଇଏମ୍‌ଏ

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବେ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ଏକ ଭିନ୍ନ ମତ ରଖିଛନ୍ତି। ଲୋକମାନଙ୍କ ମଧ୍ୟରେ ଏକ ସୁରକ୍ଷିତ ଭାବନା ଆଣିବାପାଇଁ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି କହିଥିଲେ, ଜାତୀୟ ରାଜଧାନୀରେ କରୋନା ମହାମାରୀ ଶେଷ ହେବାକୁ ଯାଉଛି ତଥା ମହାମାରୀ ଏବେ ଶେଷ ପର୍ଯ୍ୟାୟରେ। କିନ୍ତୁ ଆଇଏମ୍ଏ (ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌) ଏନେଇ ଉଭୟ ରାଜନେତା‌ ଏବଂ ସରକାରଙ୍କୁ ସତର୍କ କରାଇଛି। ‘ଏଣ୍ଡେମିକ୍‌ ବନାମ ପାଣ୍ଡେମିକ୍‌’ କୁ ନେଇ ଯେଉଁ ଆଲୋଚନା ହେଉଛି ତାହା ଖୁବ୍‌ ଦୁଃଖଦାୟକ ବୋଲି ଆଇଏମ୍‌ଏ ପକ୍ଷରୁ କୁହାଯାଇଛି। ୭୪୦ ଆଗଧାଡ଼ିର କର୍ମୀଙ୍କ ମୃତ୍ୟୁ ଉପରେ ଗୁରୁତ୍ବାରୋପ କରି ଆଇଏମ୍‌ଏ କହିଛି ସମସ୍ତ ନାଗରିକ ଆହୁରି ଅତ୍ୟଧିକ ସଚେତନ ହେବା ଉଚିତ୍‌ ଏବଂ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଉଚିତ୍‌। ଗତ ସପ୍ତାହରେ ବିଭିନ୍ନ ରାଜ୍ୟରୁ ସଂକ୍ରମଣ ମାମଲା ୩୫ରୁ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ଜାତୀୟ ରାଜଧାନୀରେ ମଧ୍ୟ ଦୈନିକ ହାରାହାରି ସଂକ୍ରମଣ ୧୦୦ରୁ ୧୪୦କୁ ବୃଦ୍ଧି ପାଇଛି। ତେଣୁ ଅଧିକ ଆ‌ତ୍ମସନ୍ତୁଷ୍ଟି ହେବାର କିଛି ଆବଶ୍ୟକତା ନାହିଁ। ମିଛ ପ୍ରଚାର ବନ୍ଦ କରିବା ସହ ଆଗକୁ ଆହୁରି ସଚେତନ ରହିବାପାଇଁ ଆଇଏମ୍‌ଏ ପକ୍ଷରୁ କୁହାଯାଇଛି।

The post ତିନି ସପ୍ତାହ ହେଲା ବଢ଼ି ଚାଲିଛି ସଂକ୍ରମଣ: ସପ୍ତାହକରେ ୧୦% ବୃଦ୍ଧି, ମହାରାଷ୍ଟ୍ର, କେରଳ ସମେତ ୬ ରାଜ୍ୟରେ ୮୬.୨୫% ନୂଆ ସଂକ୍ରମଣ ମାମଲା first appeared on Sambad.



from କରୋନା – Sambad https://ift.tt/3cd64Aq

Post a Comment

0 Comments