
ନୂଆଦିଲ୍ଲୀ: ଦେଶରେ ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ ସତ୍ତ୍ବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୧୧୪ ଦିନ ପରେ ପ୍ରଥମ ଥର ପାଇଁ ରେକର୍ଡ ୪୩ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏହି ସଂକ୍ରମଣର ୮୩.୧୪% ୬ଟି ରାଜ୍ୟରୁ ରିପୋର୍ଟ ହୋଇଛି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶ। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ଚଳିତ ବର୍ଷର ସର୍ବାଧିକ ୪୩,୮୪୬ ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥି ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୫୯୯,୧୩୦ ହୋଇଛି। ଏହା ପୂର୍ବରୁ ମାତ୍ର ତିନି ଦିନରେ ହିଁ ଲକ୍ଷାଧିକ ସଂକ୍ରମିତ ଦେଖାଦେଇଥିଲେ। ସେଥିରୁ ଗତ ଗୁରୁବାର ୩୫,୮୭୧, ଶୁକ୍ରବାର ୩୯,୭୨୬ ଓ ଶନିବାର ୪୦,୯୫୩ ସଂକ୍ରମଣ ମାମଲା ଠାବ କରାଯାଇଥିଲା।
ଚଳିତବର୍ଷ ପ୍ରଥମ ଥର ଲାଗି ଦେଶରେ ଚିକିତ୍ସାଧୀନ ରହିଥିବା କୋଭିଡ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଟପିଛି। ଅପରପକ୍ଷେ, ସେହି ୨୪ ଘଣ୍ଟା ଭିତରେ କୋଭିଡ୍ରେ ୧୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧,୫୯,୭୫୫ରେ ପହଞ୍ଚିଛି। ତେବେ ମୋଟ ୧୧,୧୩୦,୨୮୮ ଜଣ ଆରୋଗ୍ୟ ଲାଭ କରିବା ବା ସଂକ୍ରମିତଙ୍କ ୯୫.୯% ଆରୋଗ୍ୟ ହାର ଏକ ଆଶ୍ବସ୍ତି ହୋଇ ରହିଛି। ସେହିପରି ମାର୍ଚ୍ଚ ୨୦ ସୁଦ୍ଧା ମୋଟ ୨୩,୩୫,୬୫,୧୧୯ ଜଣଙ୍କର ନମୁନା ପରୀକ୍ଷଣ କରାଯାଇଥିବା ଜଣାଯାଇଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୨୭୧୨୬ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଦେଶରେ ୪.୩୬ କୋଟି ଲୋକଙ୍କ ଟିକାକରଣ ହୋଇଥିବା ବେଳେ ଏହି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଯୋଜନା ଚାଲିଛି।
ବେଙ୍ଗାଲୁରୁ: ଦେଶର ବୈଷୟିକ ରାଜଧାନୀ ବେଙ୍ଗାଲୁରୁରେ ଗତ ୨୦ ଦିନ ଭିତରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪୦୦ ପ୍ରତିଶତ ବା ୪ ଗୁଣା ବଢ଼ିଯିବା ଚିନ୍ତାର କାରଣ ହୋଇଛି। ଗତ ପହିଲାରେ ୨୧୦ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବା ବେଳେ ଗତ ଶୁକ୍ରବାର ଠାରୁ ପ୍ରତ୍ୟହ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇ ଚାଲିଛନ୍ତି। ସେହିପରି ମାର୍ଚ୍ଚ ୨୬ ସୁଦ୍ଧା ସହରରେ ଅଧିକ ୪ ହଜାରରୁ ୬ ହଜାର ନୂଆ ମାମଲା ଯୋଡ଼ି ହୋଇଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସଂକ୍ରମଣର ବୃଦ୍ଧି ପାଇଁ ଅବାଧ ବିଚରଣକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ଦୀର୍ଘ ମାସ ମାସ ଧରି ଘର ଭିତରେ ଆବଦ୍ଧ ତଥା ସୁରକ୍ଷିତ ରହିଥିବା ବରିଷ୍ଠ ନାଗରିକଙ୍କ ସମେତ ସାଧାରଣ ଲୋକ ଏବେ ମୁକ୍ତ ଭାବେ ଗହଳିଚହଳିରେ ଚଲାବୁଲା କରିବା ଦ୍ବାରା ବିପଦ ବଢ଼ିବାରେ ଲାଗିଛି।
The post ୬ ରାଜ୍ୟରେ ୮୩% ସଂକ୍ରମଣ: ବେଙ୍ଗାଲୁରୁରେ ୨୦ ଦିନରେ ୪ ଗୁଣ ବଢ଼ିଛି ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3c6hTt7
0 Comments