ଭୁବନେଶ୍ବର: ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ବର (ଏକ୍ସଆଇଏମ୍‌ବି)ରେ ଆଜି ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଏକ୍ସଆଇଏମ୍‌ବିରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କର ରବିବାର ନମୁନା ସଂଗ୍ରହ ହୋଇଥିବାବେଳେ ଆଜି ରିପୋର୍ଟ ଆସିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେହିପରି ସୋମବାର ଏକ୍ସଆଇଏମ୍‌ବିର ଯେଉଁ ୨୦୪ଜଣ ଅଧିକାରୀ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର ନମୁନା ସଂଗ୍ରହ ହୋଇଥିଲା ସେଥିରୁ ୨୦୧ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ବାକି ତିନି ଜଣଙ୍କର ବୁଧବାର ଜଣାପଡ଼ିବ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏକ୍ସଆଇଏମ୍‌ବିରେ ଯେଉଁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସମସ୍ତେ ଅନ୍ତେବାସୀ। ଏଥିରେ ଦୁଇ ଜଣ ୨୨ ବର୍ଷୀୟ ଓ ୨୫ବର୍ଷୀୟ ଛାତ୍ରୀ ଥିବାବେଳେ ତିନି ଜଣ ୨୨, ୨୧ ଓ ୨୫ ବର୍ଷୀୟ ଛାତ୍ର ଅଛନ୍ତି। ସମସ୍ତେ ସଙ୍ଗରୋଧରେ ଅଛନ୍ତି। ଆଜି ଏକ୍ସଆଇଏମ୍‌ବିରେ ପ୍ରାୟ ୮୦ଜଣଙ୍କର ନମୁନା ସଂଗ୍ରହ ହୋଇଛି। ସେମାନଙ୍କର ଆର୍‌ଟିପିସିଆର୍ ପରୀକ୍ଷା ହୋଇଥିବାରୁ ଦିନେ ଦୁଇ ଦିନ ମଧ୍ୟରେ ରିପୋର୍ଟ ଆସିବ। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଏକ୍ସଆଇଏମ୍‌ବି ସିଲ୍‌ ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

The post ଏକ୍ସଆଇଏମ୍‌ବିରେ ଆଉ ୫ ଆକ୍ରାନ୍ତ ଚିହ୍ନଟ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ହେଲା first appeared on Sambad.

from କରୋନା | Sambad https://ift.tt/395zyiX