
ମୁମ୍ବାଇ: ଶୁକ୍ରବାର ଦିନ ୬,୧୧୨ ସଦ୍ୟ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ଓ ୪୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହେବା ପରେ ମହାରାଷ୍ଟ୍ରରେ କଡ଼ା କଟକଣା ଜାରି କରାଯାଇଛି।
ବିଶେଷକରି ମହାରାଷ୍ଟ୍ରର ୩ଟି ଜିଲ୍ଲା ଯବତମଲ, ଅକୋଲା ଏବଂ ଅମରାବତୀରେ ସପ୍ତାହନ୍ତମାନଙ୍କରେ ସାମାଜିକ ଦୂରତ୍ୱ ନିୟମ ଜାରି କରିବାକୁ ଆଦେଶ ଦିଆଯାଇଛି। ଏହାଛଡ଼ା, ରବିବାର ଦିନ ଏହି ଜିଲ୍ଲାମାନଙ୍କରେ ଲକ୍ଡାଉନ୍ ପାଇଁ ଘୋଷଣା କରାଯାଇଛି।
ଜନ ସମାବେଶ ନିମନ୍ତେ ଅନୁମତି ନ ଦେବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର୍ କହିଛନ୍ତି ଯେ, କୋଭିଡ୍-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସର୍ବସାଧାରଣରେ ମାସ୍କ୍ ନ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ନିର୍ଦେଶ ଦେଇଛନ୍ତି।
ଭୂତାଣୁ ସଂକ୍ରମଣ ଦମନ କରିବା ଲାଗି ଯେଉଁ ପଦକ୍ଷେପ ସବୁ ଗ୍ରହଣ କରାଯିବା ସେ ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ସେ ୨୧ ତାରିଖ ଦିନ ପୁଣେରେ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ସ୍ଥଳେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, କରୋନାଭାଇରସ୍ର ପରିବର୍ତ୍ତିତ ପ୍ରଜାତିର ନମୁନା ଗୁରୁବାର ଦିନ ପୂର୍ବ ମହାରାଷ୍ଟ୍ରର ଅମରାବତୀ ଏବଂ ଯବତମଲ ଜିଲ୍ଲାରେ ଚିହ୍ନଟ କରାଯାଇଥିଲା। କିନ୍ତୁ, ଉକ୍ତ ଭୂତାଣୁର ଗୁଣସୂତ୍ର ଅନୁକ୍ରମ ଇଂଲଣ୍ଡ୍ କିଂବା ଦକ୍ଷିଣ ଆଫ୍ରିକାରେ ପରିବର୍ତ୍ତିତ ହୋଇଥିବା ଭୂତାଣୁର ଗୁଣସୂତ୍ର ଅନୁକ୍ରମ ସହ ମେଳ ଖାଉନାହିଁ।
The post ୨୪ ଘଣ୍ଟାରେ ୬ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ପରେ ମହାରାଷ୍ଟ୍ରରେ କଡ଼ା କଟକଣା ଜାରି first appeared on Sambad.
from କରୋନା – Sambad https://ift.tt/37sF5PG
0 Comments