
ନୂଆଦିଲ୍ଲୀ: ମାର୍ଚରୁ ଏପ୍ରିଲ୍ ମାସ ମଧ୍ୟରେ ଭାରତରେ ରୁଷ୍ ନିର୍ମିତ କରୋନାଭାଇରସ୍ ଟିକା ସ୍ପୁଟ୍ନିକ-୫ ମିଳିବ ବୋଲି ‘ଡକ୍ଟର୍ ରେଡିସ୍ ଲାବ୍ରୋଟରି’ର ‘ଏପିଆଇ’ ଏବଂ ‘ଫାର୍ମା ସର୍ଭିସେସ୍’ର ମୁଖ୍ୟ ଦୀପକ ସାପ୍ରା କହିଛନ୍ତି। ଭାରତରେ ‘ଡକ୍ଟର୍ ରେଡିସ୍ ଲାବ୍ରୋଟରି’ ରୁଷ୍ ପ୍ରସ୍ତୁତ କରୋନାଭାଇରସ୍ ଟିକା ‘ସ୍ପୁଟ୍ନିକ୍-୫’ ଉତ୍ପାଦନ କରିବ।
‘ସ୍ପୁଟ୍ନିକ୍-୫’ ଟିକା କରୋନାଭାଇରସ୍ ସଂକ୍ରମଣ ବିରୋଧରେ ୯୧.୬% ଫଳପ୍ରଦ ବୋଲି ନିକଟରେ ‘ଲାନ୍ସେଟ୍’ ଅଧ୍ୟୟନର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି।
ଗଣମାଧ୍ୟମକୁ ଦୀପକ ସାପ୍ରା କହିଛନ୍ତି, ୧୨୫ ନିୟୁତ ଜନତାଙ୍କ ପାଇଁ (୨୫୦ ନିୟୁତ ଡୋଜ୍) ଟିକା ଉତ୍ପାଦନ କରିବାକୁ ଆମେ ରୁଷ୍ ଅଂଶୀଦାରଙ୍କ ସହ ଚୁକ୍ତି କରିଛୁ। ୧୨.୫ କୋଟି ଲୋକଙ୍କ ଏତିକ ଟିକା ଯଥେଷ୍ଟ ହେବ।
ବୟସ ବର୍ଗ ନିର୍ବିଶେଷରେ ଅନ୍ୟାନ୍ୟ ଶାରୀରକ ସମସ୍ୟା ଥିବା ବ୍ୟକ୍ତିଙ୍କ ଶରୀରରେ ମଧ୍ୟ ଏହି ଟିକା ଫଳପ୍ରଦ ହୋଇଥିବା କଥା ୨୦ ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ୬୦ରୁ ଊର୍ଦ୍ଧ୍ୱ ବୟସ ବର୍ଗର ବ୍ୟକ୍ତିଙ୍କ ଠାରେ ‘ସ୍ପୁଟ୍ନିକ୍-୫’ର ୯୧.୮% ରୋଗ ପ୍ରତିରୋଧକ କ୍ଷମତାର ଫଳାଫଳଏହି ଟିକାର ସୁପ୍ରଭାବକୁ ପ୍ରମାଣିତ କରୁଛି।
ଭାରତରେ ଏହି ଟିକାର ମୂଲ୍ୟ କେତେ ହେବ ତାହା ନିର୍ଦ୍ଧାରିତ ହୋଇ ନ ଥିଲେ ବି, ବିଶ୍ୱରେ ମିଳୁଥିବା ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଭଳି ସୁଲଭ ହେବ ବୋଲି ଆଶା କରାଯାଉଛି। ସାପ୍ରା କହିଛନ୍ତି, ଆମେ ସରକାର ଏବଂ ଘରୋଇ କ୍ଷେତ୍ରରେ ଥିବା ଆମ ଅଂଶୀଦାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିଛୁ।
‘ସ୍ପୁଟ୍ନିକ୍-୫’ ଟିକା ଉଭୟ ତରଳ ଏବଂ ଗୁଣ୍ଡ ଆକାରରେ ଉପଲବ୍ଧ ହେବ। ତରଳ ଟିକା ରଖିବା ପାଇଁ ଲାଗି ବିଯୁକ୍ତ ୧୮ ଡିଗ୍ରି ତାପମାତ୍ରା ଆବଶ୍ୟକ ହେଉଥିବା ବେଳେ ଗୁଣ୍ଡ ଟିକା ରଖିବାକୁ ୨ ରୁ ୮ ଡିଗ୍ରି ତାପମାତ୍ରାରେ ରଖିହେବ ବୋଲି କୁହାଯାଉଛି। ଏଥିପାଇଁ ପରୀକ୍ଷାନିରୀକ୍ଷା ଚାଲିଛି।
The post ଏପ୍ରିଲ୍ ସୁଦ୍ଧା ଭାରତରେ ମିଳିବ ରୁଷ୍ର କୋଭିଡ୍ ଟିକା ‘ସ୍ପୁଟ୍ନିକ୍’ first appeared on Sambad.
from କରୋନା – Sambad https://ift.tt/36Dhyva
0 Comments