
ନୂଆଦିଲ୍ଲୀ: ଭାରତରେ କୋଭିଡ୍-୧୯ ଟିକାର ‘ଏମର୍ଜେନ୍ସି ୟୁଜ୍ ଅଥରାଇଜେସନ୍’ (ଇୟୁଏ) ବା ଜରୁରୀକାଳୀନ ବ୍ୟବହାର ପାଇଁ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିବା କଥା ଶୁକ୍ରବାର ଦିନ ଔଷଧ କମ୍ପାନି ‘ଫାଇଜର୍’ କହିଛି।
ଇଂଲଣ୍ଡ୍ ଓ ବାହାରିନ୍ରୁ ଅନୁମୋଦନ ହାସଲ କରିବା ପରେ ଭାରତରେ କୋଭଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କୁ (ଡିସିଜିଆଇ) ଆବେଦନ କରିବାରେ ‘ଫାଇଜର୍’ ହେଉଛି ପ୍ରଥମ ଔଷଧ କମ୍ପାନି।
ଏକ ବିବୃତିରେ କମ୍ପାନିର ମୁଖପାତ୍ର କହିଛନ୍ତି, କୋଭିଡ୍-୧୯ ଟିକାର ‘ଜରୁରୀକାଳୀନ ବ୍ୟବହାର’ ନିମନ୍ତେ ‘ଫାଇଜର୍’ ଫେବ୍ରୁଆରି ୩ ତାରିଖରେ ‘ଡ୍ରଗ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ’ର ‘ସବ୍ଜେକ୍ଟ୍ ଏକ୍ସପର୍ଟ କମିଟି’ ବୈଠକରେ ଯୋଗ ଦେଇଥିଲା। ବୈଠକରେ ହୋଇଥିବା ବିଚାରବିମର୍ଶକୁ ଆଧାର କରି ଏବେ କମ୍ପାନି ତା’ର ଆବେଦନ ପ୍ରତ୍ୟାହାର କରିନେବାକୁ ସ୍ଥିର କରିଛି। ଏହାଛଡ଼ା, ଟିକା ସମ୍ପର୍କରେ ରେଗୁଲେଟର୍ କିଛି ଅତିରିକ୍ତ ସୂଚନା ଆବଶ୍ୟକ କରିବାର ସମ୍ଭାବନା ରହିଥିବା କଥା ମଧ୍ୟ ଆମେ ହୃଦୟଙ୍ଗମ କରିଛୁ।
ନିକଟ ଭବିଷ୍ୟତରେ ମିଳିବାକୁ ଥିବା ଅତିରିକ୍ତ ସୂଚନା ହାସଲ କରିବା ପରେ ପୁଣି ‘ଫାଇଜର୍’ ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଆବେଦନ କରିବ ବୋଲି ବିବୃତିରେ ଉଲ୍ଲେଖ ଅଛି।
ମୁଖପାତ୍ରଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସରକାରଙ୍କ ବ୍ୟବହାର ନିମନ୍ତେ ଟିକା ଉପଲବ୍ଧ କରାଇବାକୁ ‘ଫାଇଜର୍’ ସତତ ପ୍ରତିବଦ୍ଧ। ନିକଟ ଭବିଷ୍ୟତରେ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଆବଶ୍ୟକ ଉପାୟ କରିବାକୁ କମ୍ପାନି ଉଦ୍ୟମ ଚଳାଇଛି।
ସ୍ମରଣଯୋଗ୍ୟ, ଭାରତରେ ବିକ୍ରି ଏବଂ ବଣ୍ଟନ ନିମନ୍ତେ ଟିକା ଆମଦାନି କରିବା ଲାଗି ‘ଫାଇଜର୍’ ୨୦୨୦ ଡିସେମ୍ବରରେ ‘ଡ୍ରଗ୍ ରେଗୁଲେଟର୍’ଙ୍କୁ ଆବେଦନ କରିଥିଲା।
The post ଭାରତରେ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ କରିଥିବା ଆବେଦନ ପ୍ରତ୍ୟାହାର କଲା ଫାଇଜର୍ first appeared on Sambad.
from କରୋନା – Sambad https://ift.tt/36IEGIH
0 Comments