ବାରିପଦା: ଆଜି ସୁଦ୍ଧା ଜିଲ୍ଲାରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଟିକାକରଣ ଶତପ୍ରତିଶତ ହେବା କଥା। ମାତ୍ର ହୋଇଛି ୭୮.୮ ପ୍ରତିଶତ। ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ପଛରେ। ଆଜି ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮,୪୨୬ଜଣ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରୁ ୧୪,୪୫୪ ଜଣ ଟିକା ନେଇଛନ୍ତି। ଏନେଇ ରାଜ୍ୟ ସରକାର ଜିଲ୍ଲାପାଳ ଏବଂ ସିଡିଏମ୍ଓଙ୍କୁ ପତ୍ର ଲେଖିଛନ୍ତି। ଆଉ ତିନି ଦିନ ଅତିରିକ୍ତ ସମୟ ଦେଇଛନ୍ତି। ଆଗାମୀ ୧୩ ତାରିଖ ସୁଦ୍ଧା ଜିଲ୍ଲାରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଟିକାକରଣ ଶତପ୍ରତିଶତ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟ କର୍ମଚାରୀଙ୍କ ୨ୟ ଡୋଜ୍ ଟିକା ନେବାର ସମୟ ୧୫ରୁ ଆରମ୍ଭ ହେଉଛି। ତେଣୁ ଶତପ୍ରତିଶତ ଟାର୍ଗେଟ୍ ପୂରଣ ନହେଲେ ଏହା ଚିନ୍ତାଜନକ ବୋଲି ବିବେଚନା କରାଯାଉଛି। ଏନେଇ ଜିଲ୍ଲାପାଳ ଏବଂ ସିଡିଏମଓ ବିଶେଷ ଦୃଷ୍ଟି ଦେବାକୁ ରାଜ୍ୟ ସରକାର କହିଛନ୍ତି। ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ କରୋନା ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ତଥ୍ୟ କହୁଛି। ତେବେ ଟିକା ନେବାକୁ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ସିଡିଏମଓ ଡ. ରୂପଭାନୁ ମିଶ୍ର ଆହ୍ବାନ କରିଛନ୍ତି। ଜିଲ୍ଲାର ୩୦ଟି ସାନରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ପ୍ରଦାନ କରାଯାଉଛି।

ଇତିମଧ୍ୟରେ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଗତ ୬ରୁ ପୁଲିସ୍, ଅଗ୍ନିଶମ, ଅବକାରୀ, ରାଜସ୍ବ କର୍ମଚାରୀ, ମୁନିସିପାଲିଟୀ ଅଧିକାରୀଙ୍କ ଭଳି ଆଗୁଆ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଉଛି। ଜିଲ୍ଲାରେ ଚିହ୍ନଟ ୭୯୪୮ ଜଣ ଆଗୁଆ ଯୋଦ୍ଧାଙ୍କ ମଧ୍ୟରୁ ଆଜି ସୁଦ୍ଧା ୬୧୨୮ ଜଣ ଟିକା ନେଇସାରିଲେଣି। ଯାହାକି ୭୭.୧ ପ୍ରତିଶତ ରହିଛି। ଟିକା ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ଥିବାରୁ ଚିହ୍ନଟ ସମସ୍ତେ ଏହାକୁ ନେବାକୁ ଜିଲ୍ଲାପାଳ ମଧ୍ୟ ଉତ୍ସାହିତ କରିଛନ୍ତି। ତଥାପି ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ନହେବା ଆଶ୍ଚର୍ଯ୍ୟ କରୁଛି। ଏପରିକି ରାଜ୍ୟର କୌଣସି ଜିଲ୍ଲାରେ ମଧ୍ୟ ଶତପ୍ରତିଶତ ଟିକାକରଣ ହୋଇନଥିବା ଜଣାପଡ଼ିଛି। ଯାହାକି ଚିନ୍ତାର ବିଷୟବୋଲି ମତପ୍ରକାଶ ପାଇଛି।

 

The post ଟିକା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସ୍ବାସ୍ଥ୍ୟସେବା କର୍ମଚାରୀ, ମୟୂରଭଂଜ ଜିଲ୍ଲାରେ ହୋଇପାରିଲାନି ଶତପ୍ରତିଶତ ଟିକାକରଣ first appeared on Sambad.



from କରୋନା – Sambad https://ift.tt/3d0B4ph