
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ସମେତ ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକା ସମେତ ଭାରତର ବୈଦେଶିକ ଟିକା ନୀତି ୧୭ଟି ରାଷ୍ଟ୍ରରେ ପହଞ୍ଚିଲାଣି। ସଦ୍ୟତମ ସୂଚନା ଅନୁସାରେ, ଅନ୍ତର୍ଜାତୀୟ ମଞ୍ଜୁରିର ଅଂଶବିଶେଷ ଭାବେ ସଦ୍ଭାବନା ସହ ଭରତ ୫୬ ଲକ୍ଷ ଡୋଜ୍ କରୋନାଭାଇରସ୍ ଟିକା ଯୋଗାଇ ସାରିଲାଣି। ଏହାଛଡ଼ା, ବ୍ୟାବସାୟିକ ଭାବେ ଆହୁରି ୧ କୋଟି ଡୋଜ୍ ଜଳପଥ ଓ ଆକାଶ ପଥରେ ବିଭିନ୍ନ ଦେଶକୁ ଯୋଗାଇ ଦିଆଯାଇଛି।
ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏପର୍ଯ୍ୟନ୍ତ ଆମେ ଭୁଟାନ, ମାଳଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର, ମରିସସ୍, ସିସେଲ୍ଜ୍, ଶ୍ରୀଲଙ୍କା, ୟୁଏଇ, ବ୍ରାଜିଲ୍, ମୋରୋକୋ, ବାହାରିନ, ଓମାନ, ଇଜିପ୍ଟ୍, ଆଲଜେରିଆ, କୁଏତ ଏବଂ ଦକ୍ଷିଣ ଆଫ୍ରିକାକୁ ଟିକା ଯୋଗାଇ ସାରିଛି। ଉପରୋକ୍ତ ଦେଶମାନଙ୍କର ସରକାରଙ୍କ ଅନୁରୋଧକ୍ରମେ ଭାରତ କୋଭିଡ୍-୧୯ ଟିକା ଯୋଗାଇ ଦେଇଛି।
ଆଗାମୀ ଅଳ୍ପ କେତେ ଦିନ ମଧ୍ୟରେ ‘କେରିକମ୍’ ରାଷ୍ଟ୍ରମାନଙ୍କୁ (କେରିବୀୟ ସମୁଦାୟ) ୫ ଲକ୍ଷ ଡୋଜ୍ ଟିକା ଏବଂ ନିକାରାଗୁଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶମାନଙ୍କୁ ପ୍ରତ୍ୟେକ ୨ ଲକ୍ଷ ଡୋଜ୍ ଲେଖାଏଁ ଟିକା ଉପହାର ଦେବାକୁ ନୂଆଦିଲ୍ଲୀ ଯୋଜନା କରୁଛି।
ଏହାସହ ସାଉଦି ଆରବ, କାନଡା ଏବଂ ମଙ୍ଗୋଲିଆ ସମେତ ଅନ୍ୟ ଦେଶମାନଙ୍କୁ ମଧ୍ୟ ଭାରତ ବ୍ୟାବସାୟିକ ଭାବେ କୋଭିଡ୍-୧୯ ଟିକା ଯୋଗାଇ ଦେଇଛି।
‘ଗାଭି-କୋଭାକ୍ସ’ ରାଜିନାମା ଅନୁସାରେ, ଭାରତ ଆଫ୍ରିକାକୁ ଆହୁରି ୧ କୋଟି ଡୋଜ୍ ଏବଂ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୧୦ ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବ।
The post ଭାରତର ବୈଦେଶିକ ଟିକା ନୀତି; ୧୭ଟି ରାଷ୍ଟ୍ରକୁ ଉପହାର ଦିଆଗଲାଣି ୫୬ ଲକ୍ଷ ଡୋଜ୍ କୋଭିଡ୍-୧୯ ଟିକା first appeared on Sambad.
from କରୋନା – Sambad https://ift.tt/370KvkX
0 Comments