
ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଆଜି କେନ୍ଦ୍ର ସରକାର ଉଚ୍ଚ ସ୍ତରୀୟ ଟିମ୍ ପଠାଇଛନ୍ତି। ସେହିପରି ସଂକ୍ରମଣ ରୋକିବା ଦିଗରେ ଠିକ୍ ପଦକ୍ଷେପ ନେବାପାଇଁ ସ୍ବାସ୍ଥ୍ୟ ସଚିବ ୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଂଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ଜମ୍ମୁ କାଶ୍ମୀରକୁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍ ପଠାଇଛନ୍ତି। ପ୍ରତ୍ୟେକଟି ଟିମ୍ର ମୁଖ୍ୟ ରହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ। ରାଜ୍ୟ ପ୍ରଶାସନ ସହ ଏହି ଟିମ୍ ଅତି ନିବିଡ଼ ଭାବେ କାର୍ଯ୍ୟ କରିବ ଏବଂ ଅଚାନକ ସଂକ୍ରମଣ ବୃଦ୍ଧିର କାରଣ କ’ଣ ତାହା ଜାଣିବାକୁ ଚେଷ୍ଟା କରିବ। ସେହିପରି ଜିଲ୍ଲା ଅଧିକାରୀମାନଙ୍କ ସହ ବାସ୍ତବ ସ୍ଥିତି ସମୀକ୍ଷା କରିବାପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ରହିଛି। ଏହାବାଦ୍ କେନ୍ଦ୍ର ସରକାର ମହାରାଷ୍ଟ୍ର, , କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଂଜାବ ଏବଂ ଜମ୍ମୁ କାଶ୍ମୀର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। ଏହି ରାଜ୍ୟମାନଙ୍କୁ ସରକାର ଆର୍ଟିପିସିଆର ଟେଷ୍ଟ୍ ବୃଦ୍ଧି କରିବାକୁ କହିଛନ୍ତି। ସେହିପରି ସମସ୍ତ ପଜିଟିଭ୍ ମାମଲାର କଣ୍ଟାକ୍ଟ ଟ୍ରେସିଂ କରିବାପାଇଁ ସରକାର କହିଛନ୍ତି। କେବଳ ମହାରାଷ୍ଟ୍ର ଏବଂ କେରଳରୁ ଦେଶର ମୋଟ୍ ସକ୍ରିୟ ମାମଲାର ୭୫% ରହିଛି।
ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ମୁକାବିଲା ପାଇଁ ନିୟମ କଡ଼ାକଡ଼ି କରିଛନ୍ତି। ଅନ୍ୟ ରାଜ୍ୟମାନଙ୍କ ପରି ଦିଲ୍ଲୀରେ ବି ପ୍ରବେଶ ପାଇଁ ନେଗେଟିଭ୍ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ। ମିଳିଥିବା ସୂଚନାନୁଯାୟୀ କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଂଜାବରୁ ଦିଲ୍ଲୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନେଗେଟିଭ୍ ଆର୍ଟିପିସିଆର ଟେଷ୍ଟ୍ ରିପୋର୍ଟ ବାଧ୍ୟତାମୂକଳ କରାଯାଇଛି। ଫେବ୍ରୁଆରି ୨୬ ମଧ୍ୟରାତ୍ରିରୁ ମାର୍ଚ୍ଚ ୧୫ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଉପରୋକ୍ତ ୫ଟି ରାଜ୍ୟରୁ ଗତ ସପ୍ତାହରେ ଦେଶର ନୂଆ ମାମଲାର ୮୬ ପ୍ରତିଶତ ଚିହ୍ନଟ ହୋଇଥିବାରୁ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ମଧ୍ୟପ୍ରଦେଶରେ ଗତ ସପ୍ତାହର ସଂକ୍ରମଣ ମାମଲାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ମଧ୍ୟପ୍ରଦେଶରେ ୧୨୫୮ ସଂକ୍ରମଣ ମାମଲା ଥିଲା। ନିକଟ ଅତୀତରେ ମଧ୍ୟପ୍ରଦେଶରେ ଏହା ସବୁଠୁ କମ୍ ସଂକ୍ରମଣ ମାମଲା। କିନ୍ତୁ ଗତ ସପ୍ତାହରେ ମଧ୍ୟପ୍ରଦେଶରେ ସକ୍ରିୟ ମାମଲା ଅଧିକ ରହିଛି।
ଅମରାବତୀରେ ରେକର୍ଡ ସଂକ୍ରମଣ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରେ ଗତକାଲିର ସଂକ୍ରମଣ ନୂଆ ରେକର୍ଡ କରିଛି। ଏଥିଯୋଗୁଁ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ହୋଇଛି। ଗତକାଲି ଅମରାବତୀରେ ୯୨୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଅମରାବତୀରେ ଗତ ୨୨ ତାରିଖରୁ ୭ ଦିନିଆ ଲକ୍ଡାଉନ୍ ଜାରି ହୋଇଛି। ଜିଲ୍ଲାରେ ସମସ୍ତ ଦୋକାନ, ସ୍କୁଲ୍ ଏବଂ କଲେଜ୍ ଆଦି ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେଉଛି। ସଂକ୍ରମଣ ବଢ଼ିବାରୁ ବିଦର୍ଭକୁ ରାଜ୍ୟଠୁ ଅଲଗା କରାଯାଇଛି। ଅନ୍ୟ ଜିଲ୍ଲାମାନଙ୍କରେ ବିଦର୍ଭ ଅଞ୍ଚଳର ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଉନାହିଁ। ବିଦର୍ଭରେ ୧୧ ଟି ଜିଲ୍ଲା ଅଛି। ଅମରାବତୀ ଡିଭିଜନ୍ରେ ୫ଟି ଓ ନାଗପୁର ଡିଭିଜନ୍ରେ ୬ଟି ଜିଲ୍ଲା ରହିଛି।
The post ୧୦ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଟିମ୍, ୫ ରାଜ୍ୟର ଯାତ୍ରୀଙ୍କ ପାଇଁ ଦିଲ୍ଲୀରେ ନେଗେଟିଭ୍ ରିପୋର୍ଟ ଜରୁରୀ first appeared on Sambad.
from କରୋନା – Sambad https://ift.tt/3010LOZ
0 Comments