କଟକ: ସରକାରଙ୍କ ଲିଖିତ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ। କିନ୍ତୁ ଏକପ୍ରକାର ବନ୍ଦ ହୋଇଯାଇଛି ନ୍ୟୁ ମେଡିସିନ୍‌ ବିଭାଗରେ ଥିବା କୋଭିଡ୍‌ ହସ୍ପିଟାଲ-୨। ମାତ୍ର ୪ ଜଣ ସଂକ୍ରମିତ ସେଠାରେ ଚିକିତ୍ସିତ ହେଉଥିଲେ। ୪ଜଣଙ୍କ ପାଇଁ ୨ଶହରୁ ଅଧିକ ରୋଗୀ ହନ୍ତସନ୍ତ ହେଉଥିବାରୁ କୋଭିଡ୍‌ ହସ୍ପିଟାଲ-୨କୁ ବନ୍ଦ କରିବା ପାଇଁ ଯୋଜନା କରାଯାଇଛି। ସେଥିପାଇଁ ସମସ୍ତ ସଂକ୍ରମିତଙ୍କୁ କୋଭିଡ୍‌ ହସ୍ପିଟାଲ-୧କୁ ସ୍ଥାନାନ୍ତର କରାଯାଇଛି। ସରକାରଙ୍କ ନିର୍ଦ୍ଦେଶନାମା ଆସିଲେ ନ୍ୟୁ ମେଡିସିନ୍‌ ବିଭାଗକୁ ସାନିଟାଇଜ୍‌ କରାଯାଇ ପୁଣି ଥରେ ଆରମ୍ଭ ହେବ ବିଭାଗ। ୪ମାସ ହେଲା ନ୍ୟୁ ମେଡିସିନ୍‌ ବିଭାଗକୁ କୋଭିଡ୍‌ ହସ୍ପିଟାଲ କରାଯିବା ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ମାତ୍ର ୭ ଜଣ ଥିବାବେଳେ ସେଥିରୁ ୫ଜଣ ଆଇସିୟୁରେ ଓ ୨ଜଣ ୱାର୍ଡରେ ଅଛନ୍ତି।
ସୂଚନା ଅନୁସାରେ, କରୋନା ସଂକ୍ରମଣ ଓ ତତ୍‌ଜନିତ ଚିକିତ୍ସା ସୁବିଧା ପାଇଁ ସରକାର ଅକ୍ଟୋବର ଶେଷ ସପ୍ତାହରେ ଏସ୍‌ସିବିରେ ୫ଶହ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲ ଖୋଲିଲେ। ଯେଉଁଥିରେ କରୋନା ଆରମ୍ଭ ହେବା ସମୟରୁ ଚକ୍ଷୁ ବିଭାଗ ବା ବର୍ହିବିଭାଗ କୋଠାରେ ଆଇସୋଲେସନ୍‌ ‌ୱାର୍ଡ ଓ ପରେ ତାକୁ କୋଭିଡ୍‌ ହସ୍ପିଟାଲରେ ରୂପାନ୍ତରିତ କରାଯାଇଥିଲା।

ଯାହାକୁ କୋଭିଡ୍‌ ହସ୍ପିଟାଲ-୧ କୁହାଗଲା। ନ୍ୟୁ ମେଡିସିନ୍‌ କୋଠାକୁ କୋଭିଡ୍‌ ହସ୍ପିଟାଲ-୨ ଓ ଗାଏନିକ୍‌ ବିଭାଗରେ କୋଭିଡ୍‌ ହସ୍ପିଟାଲ-୩ ଖୋଲାଯାଇଥିଲା। କିନ୍ତୁ ନ୍ୟୁ ମେଡିସିନ୍‌ କୋଠାକୁ ସଂପୂର୍ଣ୍ଣଭାବେ କୋଭିଡ ହସ୍ପିଟାଲ କରାଯିବା ଫଳରେ ମେଡିସିନ୍‌ ବିଭାଗ ରୋଗୀଙ୍କୁ ଟ୍ରମା ବିଭାଗ ଓ ଟ୍ରମା ବିଭାଗ ଆଇସିୟୁରେ ବିଭାଗର ଗୁରୁତର ରୋଗୀଙ୍କୁ ରଖା ଯାଉଥିଲା। ଏଥିସହ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଓ ପୁରୁଣା ମେଡିସିନ୍‌ ବିଭାଗ ସମ୍ମୁଖରେ ଅସ୍ଥାୟୀ ସେଡ୍‌ କରାଯାଇ ରୋଗୀଙ୍କୁ ଚିକିତ୍ସା ସୁବିଧା ଦିଆଯାଉଥିଲା। ଯାହା ଫଳରେ ରୋଗୀଙ୍କଠାରୁ ଆରମ୍ଭ କରି ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏବେ ସଂକ୍ରମଣ କମିଥିବାରୁ ୪ଜଣ ରୋଗୀଙ୍କ ପାଇଁ ୪ ମହଲା କୋଠା କୋଭିଡ୍‌ ଚିକିତ୍ସା ନାଁରେ ବନ୍ଦ ରଖାଯିବା ଘଟଣାକୁ ନେଇ କର୍ତ୍ତୃପକ୍ଷ ମଧ୍ୟ ସରକାରଙ୍କୁ ଜଣାଇଥିଲେ। ଯଦିଓ ସରକାରଙ୍କ ପକ୍ଷରୁ ଲିଖିତ ନିର୍ଦ୍ଦେଶନାମା ଆସିନାହିଁ ତଥାପି ସବୁଜ ସଙ୍କେତ ମିଳିବା ପରେ ସଂକ୍ରମିତଙ୍କୁ କୋଭିଡ୍‌ ହସ୍ପିଟାଲ-୧କୁ ସ୍ଥାନାନ୍ତର କରାଯାଇଛି।

କୋଭିଡ୍‌-୧‌ ହସ୍ପିଟାଲରେ ଡାଏଲିସିସ୍‌ ବ୍ୟବସ୍ଥା ସହ ଆଇସିୟୁ ଓ ସମସ୍ତ ବ୍ୟବସ୍ଥା ରହିଛି। ଏସ୍‌ସିବି କୋଭିଡ୍‌-୧ରେ ୭ଜଣ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ୪ଜଣଙ୍କ ରିପୋର୍ଟ ପଜିଟିଭ୍‌ ରହିଛି ଓ ୩ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ପୁଣି ଥରେ ରିପିଟ୍‌ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ୫ଜଣ ଆଇସିୟୁରେ ଥିବା ଜଣାପଡିଛି। ଏସ୍‌ସିବି ନ୍ୟୁ ମେଡିସିନ୍‌ ବିଭାଗ ବନ୍ଦ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିଛନ୍ତି ଯେ ସେଠାରେ ମାତ୍ର ୪ଜଣ ସଂକ୍ରମିତ ଥିଲେ। ସେଥିପାଇଁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ବତନ୍ତ୍ର ୱାର୍ଡ ବନ୍ଦ ସଂପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷାକୁ କରାଯାଇଛି ବୋଲି ଡାକ୍ତର ଦାସ କହିଛନ୍ତି।

The post ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ମାତ୍ର ୭ ରୋଗୀ first appeared on Sambad.



from କରୋନା – Sambad https://ift.tt/3bhy6KF