
କଟକ: କରୋନା ଟିକାକରଣରେ ବି କେନ୍ଦ୍ର-ରାଜ୍ୟ ବିବାଦ? କେନ୍ଦ୍ର ସରକାରଙ୍କ କର୍ମଚାରୀ ବୋଲି କହି ଇଏସଆଇ ହସ୍ପିଟାଲରେ କାର୍ଯ୍ୟରତ ୩୦ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆ ନଯିବା ଘଟଣା ଏବେ ଉଦବେଗର କାରଣ ହୋଇଛି। ଏଭଳି ନିଷ୍ପତ୍ତି ଆଉ ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ନାମ ପଂଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଟିକା ଦିଆଗଲାଣି। କିନ୍ତୁ ପ୍ରଥମେ ଟିକା ନେବାର ଅଧିକାର ରଖୁଥିବା ୩୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଥିବା ପଞ୍ଜିକରଣରେ ସେମାନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। କରୋନାର ଭୟାବହ ପରିସ୍ଥିତି ସମୟରେ ରାତିଦିନ ଏକାକାର କରି ଏମାନେ କାମ କରିଥିଲେ। ସବୁ ମେଡିକାଲ ବନ୍ଦ ଥିବା ବେଳେ ସେମାନେ ରୋଗୀଙ୍କୁ ଜରୁରୀ ସେବା ଯୋଗାଇ ଦେଇଥିଲେ। କିନ୍ତୁ ସେମାନଙ୍କୁ ଟିକାକରଣରୁ ବାଦ ଦିଆଯାଇଥିବାରୁ କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଆଜି ପ୍ରଥମ ପର୍ଯ୍ୟାୟ ଟିକାକରଣର ଶେଷ ଦିନ ଥିଲେ ବି ସେମାନଙ୍କୁ ଟିକା ଦିଆଯାଇନାହିଁ। ଏପରିକି ସେମାନଙ୍କୁ ପୁଣି କେବେ ଟିକା ମିଳିବ ତାହା ମଧ୍ୟ କୁହାଯାଇନାହିଁ। ଗୋଟିଏ ପଟେ ଘରୋଇ ମେଡିକାଲରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆ ସରିଥିବା ବେଳେ ସରକାରୀ ଇଏସଆଇ ମେଡିକାଲରେ କାମ କରିଥିବା କର୍ମଚାରୀଙ୍କୁ ଟିକା ନ ଦିଆଯିବ, କେଉଁ ଦିଗରୁ ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠୁଛି।କଟକର ଖପୁରିଆ, ଜଗତପୁର ଓ ରାଜାବଗିଚାରେ ଥିବା ଇଏସଆଇ ଡିସପେନସାରିରେ ପ୍ରାୟ ୩୦ ଜଣ ସ୍ବାସ୍ଥ୍ୟ କର୍ମୀ କାମ କରୁଛନ୍ତି। କରୋନା ସମୟରେ ସମସ୍ତ ମେଡିକାଲରେ ଆଉଟଡୋର ସେବା ବନ୍ଦ ଥିବା ବେଳେ ସହରର ତିନି ଡିସପନେସାରି ଖୋଲା ଥିଲା। ରୋଗୀଙ୍କୁ ଜରୁରୀକାଳୀନ ପରାମର୍ଶ ଦିଆଯାଉଥିଲା। ଜୀବନକୁ ବାଜି ଲଗାଇ ଏହି କରୋନା ଯୋଦ୍ଧା ଡ୍ୟୁଟି କରିଥିଲେ। ଟିକା ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ଜାନୁଆରି ୯ ତାରିଖ ପ୍ରଥମ ପର୍ଯ୍ୟାୟର ଶେଷ ତାରିଖ ଥିଲା। ମାତ୍ର ସେମାନଙ୍କୁ ଟିକା ମିଳିନଥିଲା। ଏ ନେଇ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଥିଲେ ବି କିଛି ସୁଫଳ ମିଳିନାହିଁ। ସେମାନଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଦର୍ଶାଇ ଏଥିରୁ ବାଦ ଦିଆଯାଇଥିବା ଦର୍ଶାଯାଇଛି। ଏ ସଂପର୍କରେ ଇଏସଆଇ ହସ୍ପିଟାଲର ଡାକ୍ତର ସୂର୍ଯ୍ୟନାରାୟଣ ପାଢୀଙ୍କ କହିବା କଥା, ତିନି ଡିସପେନସାରିରେ କାମ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଦର୍ଶାଇ ଟିକା ଦିଆଯାଇନାହିଁ। ଚୌଦ୍ବାର ଇଏସଆଇ ମେଡିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପାଇଁ ସାମିଲ କରାଯାଇଥିବା ବେଳେ କଟକର ତିନି ଡିସପେନସାରୀ କର୍ମଚାରୀଙ୍କୁ ଏଥିରୁ ବାଦ ଦିଆାଯାଇଛି। ଏ ସଂପର୍କରେ ସେମାନେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
The post କରୋନା ଟିକାକରଣରେ ବି କେନ୍ଦ୍ର-ରାଜ୍ୟ ବିବାଦ! first appeared on Sambad.
from କରୋନା – Sambad https://ift.tt/3jFjloz
0 Comments