ବାରିପଦା: ଚଳିତ ଫେବ୍ରୁଆରି ମାସରେ ମୟୂରଭଞ୍ଜ ଜିଲ୍ଲାରୁ ଶହେ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୮୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଯଦିଓ ବିଭିନ୍ନ ସ୍ଥାନରେ ଚଳିତ ମାସରେ କରୋନା ସଂକ୍ରମଣର ଦ୍ବିତୀୟ ଲହରର ଭୟ ସୃଷ୍ଟି ହୋଇଛି, ତଥାପି ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି। ତେଣୁ ଆଗକୁ ମଧ୍ୟ କରୋନାକୁ ପ୍ରତିହତ କରିବାକୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ତେବେ ଚଳିତ ମାସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୫୭ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। ସେହିପରି ଆଜି ରାଜ୍ୟ‌ରୁ ମୋଟ ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ସଂକ୍ରମିତ ରହିଛନ୍ତି । ଏଥି ସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୧୮୯ରେ ପହଞ୍ଚିଛି।

ଆଜି ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୦୬୫ ଜଣ ସୁସ୍ଥ ହୋଇସାରିଲେଣି। ୩୨ ଜଣ ସକ୍ରିୟ ଅଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଜିସୁଦ୍ଧା ସରକାରୀ ଭାବେ ୯୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ଜାନୁଆରି ମାସରେ ଜିଲ୍ଲାରୁ ୧୮୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୬୦ ସୁସ୍ଥ ହୋଇଥିଲେ। ମାତ୍ର ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲାରୁ ୯୯୯ଜଣ ଆକ୍ରାନ୍ତ ହୋଇଥିଲେ ଏବଂ ୯୭୨ଜଣ ସୁସ୍ଥ ‌ହୋଇଥିଲେ।

 

 

The post ଫେବ୍ରୁଆରିରେ ମୟୂରଭଞ୍ଜ ଜିଲ୍ଲାରୁ ଶହେ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ ଓ ୮୮ ସୁସ୍ଥ first appeared on Sambad.



from କରୋନା – Sambad https://ift.tt/3kx33OX