
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ମାମଲାରେ ଏବେ ଦେଶର ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି। ବିଗତ ୫ ସପ୍ତାହରେ ଦୈନିକ ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୧୫୦ ତଳେ ରହୁଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଟିକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ୧ ମାର୍ଚ ସୁଦ୍ଧା ସମସ୍ତ ଆଗ ଧାଡ଼ିର କର୍ମୀଙ୍କୁ ଟିକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ। ଦେଶରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି କୋଭିଡ୍ ମୃତ୍ୟୁ ଖବର ଆସିନାହିଁ। ୭ଟି ରାଜ୍ୟରେ ବିଗତ ୩ ସପ୍ତାହରେ କୌଣସି କରୋନା ମୃତ୍ୟୁ ହୋଇନାହିଁ। ୩୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସକ୍ରିୟ ମାମଲା ୫ ହଜାରରୁ କମ୍ ରହିଛି।
ଦେଶରେ ଆଜି ସୁଦ୍ଧା ୬୪ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକମୀ ତଥା ଆଗଧାଡ଼ିର କୋଭିଡ କର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ସେମାନଙ୍କ ପାଇଁ ଦ୍ବିତୀୟ ଡୋଜ୍ ୧୩ ଫେବ୍ରୁଆରିରୁ ଆରମ୍ଭ ହେବ। ଦେଶର ମୋଟ୍ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବଳ କେରଳରେ ଏବଂ ୨୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି। ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ପାଇଁ ପରାମର୍ଶ କରିଛନ୍ତି।
The post କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ, ୬୪ ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି first appeared on Sambad.
from କରୋନା – Sambad https://ift.tt/3dabrTd
0 Comments