ମୁମ୍ବାଇ: କୋଭିଡ୍‌-୧୯ ସଂକ୍ରାନ୍ତ ନିୟମାବଳୀ ପାଳନ ନ କଲେ ରାଜ୍ୟ ସରକାର ପୁନର୍ବାର ଲକ୍‌ଡାଉନ୍‌ ଘୋଷଣା କରିବେ ବୋଲି ମଙ୍ଗଳବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସତର୍କ କରାଇ ଦେଇଛନ୍ତି। ଗତ ଅଳ୍ପ କେତେଦିନ ହେବ ଅପରିବର୍ତ୍ତିତ ଭାବେ ମହାରାଷ୍ଟ୍ରରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ଏ କଥା କହିଛନ୍ତି।

କୋଭିଡ୍‌-୧୯ ନିୟମାବଳୀ ଏବଂ ‘ଏସ୍‌ଓପି’ ଉଲ୍ଲଂଘନ କରୁଥିବା ନାଗରିକ ତଥା ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଞ୍ଚଳିକ ପ୍ରଶାସନମାନଙ୍କୁ ନିର୍ଦେଶ ଦେବା ସମୟରେ ଠାକ୍‌ରେ କହିଲେ, ଲୋକେ ଦାୟିତ୍ୱହୀନ ହୋଇଯାଇଛନ୍ତି। ଏବେ ଚାଲିଥିବା ସ୍ୱଳ୍ପ କଟକଣା ମାନି ଚଳିବେ ନା, ଲକ୍‌ଡାଉନ୍‌ ଜାରି ହେବ, ସେ କଥା ଜନତା ସ୍ଥିର କରନ୍ତୁ।

Image Courtesy of BloombergQuint

ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ ପୁଣି ଥରେ କହିଛନ୍ତି ଯେ, କୋଭିଡ୍‌-୧୯ ନିମୟମାବଳୀ ଅନୁସାରେ, ବିଭିନ୍ନ କାର୍ଯ୍ୟକଳାପ ନିମନ୍ତେ ମହାରାଷ୍ଟ୍ର ଉନ୍ମୁକ୍ତ ହେଉଛି। କିନ୍ତୁ, ଟିକାକରଣ ବୃଦ୍ଧି ପାଇବା ସତ୍ତ୍ୱେ ବିଦର୍ଭ ଏବଂ ମରାଠଓ୍ଵାଡ଼ା ଏବଂ ମେଟ୍ରୋରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଆମେ ଏବେ କୌଣସି ଲକ୍‌ଡାଉନ୍‌ କଥା ବିଚାର କରିନାହୁଁ। କିନ୍ତୁ, ଚଳିବାର ଏକମାତ୍ର ଉପାୟ କୋଭିଡ୍‌-୧୯ ନିୟମାବଳୀ ଅନୁପାଳନ ହୋଇଥିବାରୁ, ସେଥିପାଇଁ ଜନସହଯୋଗ ଆବଶ୍ୟକ।

ରେସ୍ତୋରାଁ ଏବଂ ବିବାହ ମଣ୍ଡପ ଆଦି ସ୍ଥାନରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଛି କି, ନାହିଁ ସୁନିଶ୍ଚିତ ହେବାକୁ ଅଚାନକ ଯାଞ୍ଚ କରିବା ଲାଗି ମୁଖ୍ୟମନ୍ତ୍ରୀ ଠାକ୍‌ରେ ସ୍ଥାନୀୟ ପ୍ରଶାସନମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଏହା ବ୍ୟତିରେକେ, ସାଧାରଣ ରାଲି, ପ୍ରତିବାଦ ଏବଂ ପଟୁଆର ଆଦି ଲାଗି ଅନୁମତି ନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।

The post କୋଭିଡ୍‌-୧୯ ସଂକ୍ରମଣ ବଢୁଥିବାରୁ ପୁଣି ଲକ୍‌ଡାଉନ୍‌ ଘୋଷଣା କଥା ସତର୍କ କରାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ first appeared on Sambad.



from କରୋନା – Sambad https://ift.tt/3asAW05