
କଟକ : ଟିକାକରଣ ପାଇଁ ଆସିଥିଲେ। କିନ୍ତୁ କୋଭିଡ ଲକ୍ଷଣ ଦେଖି ସନ୍ଦେହ ହେବାପରେ ତୁରନ୍ତ ସେମାନଙ୍କୁ କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଆଣ୍ଟିଜେନ ପରୀକ୍ଷାରେ ଜଣାପଡିଲା ସେମାନେ କରୋନାରେ ସଂକ୍ରମିତ। ୫ଜଣ ଅଙ୍ଗନବାଡି କର୍ମୀ ଓ ୨ଜଣ ସହାୟିକା ଏଭଳି କରୋନା ସଂକ୍ରମିତ ଥିବା ଆଜି ଜଣାପଡିବା ପରେ କଟକ ଜିଲ୍ଲାର ୭ଟି ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ କରି ଦେଇଛି ପ୍ରଶାସନ। ଫେବ୍ରୁଆରି ୧ ତାରିଖରୁ ସାରା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବା ପରେ ଏଭଳି ଘଟଣା ଉଦବେଗର କାରଣ ହୋଇଛି। ଗୋଟିଏ ଦିନରେ ୭ ଜଣ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂକ୍ରମିତ ହେବା ଘଟଣା ପ୍ରଶାସନର ଚିନ୍ତା ବଢାଇଛି। ଅନ୍ୟପକ୍ଷେ ନିଶ୍ଚିନ୍ତକୋଇଲି ବ୍ଲକ୍ରେ ୧୨୭ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୧୩ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଛି। ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଚାଲିଥିବାବେଳେ ନିଶ୍ଚିନ୍ତକୋଇଲି ବ୍ଲକ୍ର କିଛି ଅଙ୍ଗନବାଡି କର୍ମୀଙ୍କର ଗତକାଲି ଟିକା ନେବାର ପାଳି ପଡିଥିଲା। ସେମାନଙ୍କ ମଧ୍ୟରୁ କିଛି କର୍ମୀଙ୍କଠାରେ ଲକ୍ଷଣ ଥିବାରୁ ସନ୍ଦେହରେ ସେମାନଙ୍କ ପ୍ରଥମେ କୋଭିଡ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କୁ ଟିକାଦାନ ପ୍ରକ୍ରିୟାରୁ ବାଦ୍ ଦିଆଯିବା ସହ ଗୁରୁବାରଠାରୁ ୭ଟି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଦେଇଛି ପ୍ରଶାସନ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହି ସମସ୍ତ କେନ୍ଦ୍ରକୁ ବନ୍ଦ ରଖାଯିବ ବୋଲି ଡିଏସ୍ଡବ୍ଲୁଓ ନିରୁପମା ବେହେରା ସୂଚନା ଦେଇଛନ୍ତି।
The post ଟିକା ନେବାକୁ ଆସି ଜଣା ପଡ଼ିଲେ ପଜିଟିଭ୍, ୫ ଅଙ୍ଗନବାଡ଼ି କର୍ମୀ ଓ ୨ ସହାୟିକାଙ୍କୁ କରୋନା first appeared on Sambad.
from କରୋନା – Sambad https://ift.tt/39LeJdk
0 Comments