ନୂଆଦିଲ୍ଲୀ: କ୍ଷୁଦ୍ର ଦେଶମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଉଦ୍ୟମ ଏବଂ ପ୍ରତିବଦ୍ଧତା ତଥା ବିଶ୍ୱବ୍ୟାପୀ ନିରପେକ୍ଷ ଭାବେ ଟିକା ବଣ୍ଟନ କରୁଥିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଡାକ୍ତର ଟେଡ୍‌ରସ୍‌ ଆଢାନମ୍‌ ଗାବ୍ରିୟେସସ୍‌ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ଗୁରୁବାର ଦିନ ଡାକ୍ତର ଟେଡ୍‌ରସ୍‌ ଆଢାନମ୍‌ ଗାବ୍ରିୟେସସ୍‌ ଟୁଇଟ୍‌ କରି ଲେଖିଛନ୍ତି, ନିରପେକ୍ଷ ଟିକା ବଣ୍ଟନରେ ସହାୟତା କରୁଥିବାରୁ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। କୋଭାକ୍ସ୍‍ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ କୋଭିଡ୍‌-୧୯ ଟିକା ବଣ୍ଟନ ଫଳରେ ୬୦ରୁ ଅଧିକ ଦେଶର ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଗୋଷ୍ଠୀଙ୍କୁ ଟିକା ଦେବା ସମ୍ଭବପର ହୋଇଛି। ମୋର ଆଶା ଅନ୍ୟ ଦେଶମାନେ ଆପଣଙ୍କର ଦୃଷ୍ଟାନ୍ତ ଅନୁସରଣ କରିବେ।

Image Courtesy ASN LIVE

ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଏପର୍ଯ୍ୟନ୍ତ ଆମେ ଭୁଟାନ, ମାଳଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର୍‌, ମରିସସ୍‌, ସିଚେଲ୍‌ସ୍‌, ଶ୍ରୀଲଙ୍କା, ୟୁଏଇ, ବ୍ରାଜିଲ୍‌, ମରୋକୋ, ବାହାରିନ୍‌, ଓମାନ, ଇଜିପ୍ଟ୍‌, ଆଲ୍‌ଜେରିଆ, କୁଏତ ଏବଂ ଦକ୍ଷିଣ ଆଫ୍ରିକାକୁ ଟିକା ଯୋଗାଇ ଦେଇଛୁ।

ଏହାଛଡ଼ା, ଗତ ସପ୍ତାହରେ ଗସ୍ତ ସମୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ମାଳଦ୍ୱୀପ ଓ ମରିସସ୍‌କୁ ଭାରତରେ ତିଆରି କୋଭିଡ୍‌-୧୯ ଟିକାର ଅତିରିକ୍ତ ୧ଲକ୍ଷ ଡୋଜ୍‌ ଟିକା ଉପହାର ଦେଇଛନ୍ତି।

କୋଭିଡ୍‌-୧୯ ମହାମାରୀ ସଙ୍କଟରୁ ମୁକ୍ତି ପାଇବା ଲାଗି କ୍ଷୁଦ୍ର ଦେଶମାନଙ୍କୁ ସାହାଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ଛଡ଼ା, ‘ଭ୍ୟାକ୍ସିନ୍‌ ମୈତ୍ରୀ’ ଉପକ୍ରମ ଅଧୀନରେ ଭାରତ ଅନ୍ୟ ଦେଶମାନଙ୍କୁ ମଧ୍ୟ ବିନାମୂଲ୍ୟରେ ଟିକା ଯୋଗାଇ ଦେଉଛି।

The post ବିଶ୍ୱବ୍ୟାପୀ ନିରପେକ୍ଷ ଟିକା ବଣ୍ଟନ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିର୍ଦେଶକ first appeared on Sambad.



from କରୋନା – Sambad https://ift.tt/3aVCwYt