ପାରଳାଖେମୁଣ୍ତି : ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ବତନ୍ତ୍ର କକ୍ଷରେ କୋଭିଡ଼୍‌ ଟିକାକରଣ ଆରମ୍ଭ ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକା ଅନୁସାରେ କରୋନା ଟିକା ଦିଆଯାଇଥିଲା। ଗଜପତି ଜିଲ୍ଲାର ପ୍ରଥମ ଟିକା ପାରଳାଖେମୁଣ୍ତି ମେଡିକାଲରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ପ୍ରମୋଦ କୁମାର ସାହୁଙ୍କୁ ଦିଆଯାଇଥିବା ବେଳେ ଦ୍ବିତୀୟ ଟିକା ନୃସିଂହ ଚରଣ ଗନ୍ତାୟତଙ୍କୁ ଦିଆଯାଇଥିଲା। ପ୍ରତିକ୍ରିୟାରେ ନୃସି˚ହ କହିଥିଲେ, ସେ ଟିକା ନେବାପରେ ବହୁତ ଖୁସି। ମହାମାରୀ ସମୟରେ ଆଗଧାଡ଼ିରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦେଇଥିବାରୁ ସେ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।

ପ୍ରଥମ ଦିନରେ ଜିଲ୍ଲାର ୪ଟି କେନ୍ଦ୍ରରେ ମୋଟ ୩୯୪ ଜଣଙ୍କୁ ଟିକା ଦିଆଯାଇଛି। ସେଥି ମଧ୍ୟରୁ ଗୋଷାଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦, ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦, ରାୟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୪ ଏବଂ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ୧୦୦ ଜଣ କୋଭିଡ଼୍‌ ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି। ପ୍ରଥମ ଦିନରେ ଗଜପତିରେ ୯୮ ପ୍ରତିଶତ ଟିକାକରଣ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ମୁତାବକ ଟିକାକରଣ କରିବା ପରେ ନିରୀକ୍ଷଣରେ ରଖା ଯାଇଥିଲା ଓ ପରେ ଘରକୁ ଛଡ଼ା ଯାଇଥିଲା। ଟିକା ନେବା ପରେ ସମସ୍ତ ଯୋଦ୍ଧା ସୁସ୍ଥ ଥିବା ସୂଚନା ମିଳିଛି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୮୦୦ ଜଣଙ୍କ କୋଭିଡ଼୍‌ ଟିକା ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ୪୫୦୦ ଟିକା ଜିଲ୍ଲାରେ ପହଞ୍ଚିଛି। ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ନର୍ସ, ଡାକ୍ତର, ସରକାରୀ କାର୍ଯ୍ୟାଳୟ କିରାଣ, ସହରର ସମସ୍ତ ସଫେଇ କର୍ମଚାରୀଙ୍କ ସମେତ ଅନ୍ୟ କୋଭିଡ଼ ଯୋଦ୍ଧାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ସ˚ଗ୍ରାମ ପଣ୍ତା କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା ପି.କେ ପାତ୍ର ଏବ˚ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ରହିଥିଲେ।

ତେବେ, ପୂର୍ବରୁ ପ୍ରତିବାଦ ଜଣାଇ ଟିକା ନେବେ ନାହିଁ ବୋଲି ଜିଲ୍ଲାରେ ନିୟୋଜିତ ଥିବା ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଜ ଜିଦ୍‌ରେ ଅଟଳ ରହି ଆଜି ଟିକା ନେଇନାହାନ୍ତି। ଟିକାକରଣ କାର୍ଯ୍ୟକ୍ରମରେ କଳାବ୍ୟାଜ୍‌ ପିନ୍ଧି ସହଯୋଗ କରିବେ, କିନ୍ତୁ ଟିକା ନେବେ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ମାରକପତ୍ର ଦେଇଥିଲେ।

The post ଗଜପତି : ପ୍ରଥମ ଦିନରେ କରୋନା ଟିକା ନେଲେ ୩୯୪ first appeared on Sambad.



from କରୋନା – Sambad https://ift.tt/2XZDaND