୧୬ରୁ ଟିକା : ପ୍ରଥମ ଦଫାରେ ୩ କୋଟି ସ୍ବାସ୍ଥ୍ୟକର୍ମୀ, କୋଭିଡ୍‌ ଯୋଦ୍ଧାଙ୍କୁ ମିଳିବ

ନୂଆଦିଲ୍ଲୀ : କୋଭିଡ୍‌ ବିରୋଧୀ ଲଢ଼େଇରେ ଆଜି ଭାରତ ସରକାର ଏକ ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରି ଆସନ୍ତା ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଦିଆଯିବ। ସେମାନଙ୍କ ସଂଖ୍ୟା ପ୍ରାୟ ୩ କୋଟି ହେବ ବୋଲି ଆକଳନ କରାଯାଇଛି। ଏହା ପରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ୫୦ରୁ କମ୍‌ ବୟସର ଗୁରୁତର ଅସୁସ୍ଥମାନଙ୍କୁ ଟିକା ପ୍ରଦାନ କରାଯିବ। ଏହି ପର୍ଯ୍ୟାୟରେ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବାକୁ ଯୋଜନା ରହିଛି। ଆଜି ଟିକାକରଣ ଆରମ୍ଭ ନେଇ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଟିକାକରଣ କାର୍ଯ୍ୟକ୍ରମ ପାଇଁ ହୋଇଥିବା ପ୍ରସ୍ତୁତିର ସମିକ୍ଷା କରିଥିଲେ। ଏହି ଉଚ୍ଚସ୍ତରୀୟ ବୈଠକରେ କ୍ୟାବିନେଟ୍‌ ସଚିବ, ପ୍ରଧାନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ପରେ କେନ୍ଦ୍ର ସରକାର ଟିକକରଣ କାର୍ଯ୍ୟକ୍ରମ ଜାନୁଆରି ୧୬ ତାରିଖରୁ ଆରମ୍ଭ କରାଯିବାକୁ ଘୋଷଣା କରିଥିଲେ।

ପ୍ରଥମ ଦୁଇ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କ ଟିକାକରଣ ପାଇଁ ଦେଶବ୍ୟାପୀ ବ୍ୟାପକ ପ୍ରସ୍ତୁତି ହୋଇଛି ଏବଂ ସମସ୍ତ ରାଜ୍ୟରେ ଦୁଇ ଥର ଟିକାର ଡ୍ରାଏ ରନ୍‌ କରାଯାଇଛି। ଡ୍ରାଏ ରନ୍‌ ବେଳେ ଆସିଥିବା ଚ୍ୟାଲେଂଜଗୁଡ଼ିକର ସମ୍ମୁଖୀନ ହେବାପରେ ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ସରକାର ଟିକାକରଣ ପାଇଁ ୨ଟି ଟିକାକୁ ମଂଜୁରି ପ୍ରଦାନ କରିଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡ ଟିକା ‘କୋଭିସିଲ୍‌ଡ’ ଏବଂ ଭାରତ ବାୟୋଟେକ୍‌ ଏବଂ ଆଇସିଏମ୍‌ଆର୍‌ ମିଳିତ ପ୍ରୟାସରେ ପ୍ରସ୍ତୁତ ସ୍ବଦେଶୀ ଟିକା ‘କୋଭାକ୍ସିନ’ ବ୍ୟବହାର ପାଇଁ ସରକାର ମଂଜୁରି ଦେଇଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ୫ କୋଟି ଟିକା ତତ୍କାଳ ବ୍ୟବହାର ପାଇଁ ପ୍ରସ୍ତୁତ ରଖିଛି ଏବଂ ଟିକା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଛି। ଆଜି ଟିକାକରଣ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ ଭାରତ ୧୬ ଜାନୁଆରିରୁ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ସହ ଆଗକୁ ବଢ଼ିବାକୁ ଯାଉଛି। ସେହିଦିନ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହେବ ଆମର ସାହସୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, କରୋନାର ମୁକାବିଲା କରୁଥିବା ଆଗଧାଡ଼ିର କର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

The post ୧୬ରୁ ଟିକା : ପ୍ରଥମ ଦଫାରେ ୩ କୋଟି ସ୍ବାସ୍ଥ୍ୟକର୍ମୀ, କୋଭିଡ୍‌ ଯୋଦ୍ଧାଙ୍କୁ ମିଳିବ first appeared on Sambad.



from କରୋନା – Sambad https://ift.tt/3hYmOOg

Post a Comment

0 Comments