
ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)କୁ ଅଫ୍ଲାଇନ୍ କ୍ଲାସ୍ ଓ ପରୀକ୍ଷା ପାଇଁ ଆସିଥିବା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲାଗିବା ସହ ବୁର୍ଲାରେ ପୁଣି ଥରେ ସଂକ୍ରମଣ ବ୍ୟାପିବା ଆଶଂକା ସୃଷ୍ଟି ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ବୁର୍ଲା ସହରର ବିଭିନ୍ନ ମେସ୍ରେ ରହୁଥିବା ଜଣାପଡ଼ିଛି। ବୁର୍ଲାରେ ପହଞ୍ଚିବା ପରେ ଦୁଇ ଜଣ ଛାତ୍ରଙ୍କଠାରେ କୋଭିଡ୍ ଲକ୍ଷଣ ଦେଖା ଦେବାରୁ ସେମାନେ ଯାଇ ପରୀକ୍ଷା କରାଇଥିଲେ। ରାପିଡ୍ ଆଣ୍ଟିଜେନ୍ ପରୀକ୍ଷାରୁ ସେମାନେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।
ଏ ସଂପର୍କରେ ଛାତ୍ରମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ। ତେବେ ସଂକ୍ରମିତ ହେବା ପରେ ସେମାନଙ୍କ ଦାୟିତ୍ବ ସରକାର ଓ ଜିଲ୍ଲା ପ୍ରଶାସନର, ଆମର ନୁହେଁ ବୋଲି ଭିସୁଟ୍ ପକ୍ଷରୁ କହାଯାଇଛି। ପ୍ରଶାସନ ପକ୍ଷରୁ ବି ସେମାନଙ୍କୁ ରଖାଇବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଫଳରେ କେନ୍ଦୁଝର ଓ ପୁରୀ ଜିଲ୍ଲାର ଏହି ଛାତ୍ର ଦ୍ବୟ ଏକତ୍ର ବୁର୍ଲାର ଗୋଟିଏ ମେସ୍ରେ ରହୁଛନ୍ତି। ସେମାନଙ୍କୁ ଜ୍ବର ଓ ଥଣ୍ଡା, କାଶ ଭଳି ଲକ୍ଷଣ ରହିଛି। ଡାକ୍ତର ସେମାନଙ୍କୁ ଔଷଧ ଲେଖି ଦେଇଛନ୍ତି। କିନ୍ତୁ ସେମାନଙ୍କ ଯତ୍ନ ନେବା, ସେମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ଆଣି ଦେବା ବା ଖାଦ୍ୟ ପଦାର୍ଥ ଯୋଗାଇବାକୁ କେହି ନାହାନ୍ତି। ଫଳରେ ବାଧ୍ୟ ହୋଇ ବାହାରକୁ ଯିବେ ଓ ତା’ଦ୍ବାରା ଅନ୍ୟମାନେ ସଂକ୍ରମିତ ହେବେ ବୋଲି ଲୋକେ ଆଶଂକା କରିଛନ୍ତି। ଭିସୁଟ୍ର ବିଟେକ୍ ୭ମ ସେମିଷ୍ଟର୍, ବିଟେକ୍-ଏମ୍ଟେକ୍ ଡୁଆଲ୍ ଡିଗ୍ରି ଓ ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସିର ୯ମ ସେମିଷ୍ଟର୍, ଏମ୍ଟେକ୍, ଏମ୍ଏସ୍ସିର ତୃତୀୟ ସେମିଷ୍ଟର୍, ଏମ୍ଫିଲ୍ର ପ୍ରଥମ ସେମିଷ୍ଟର୍ ଓ ଏମ୍ସିଏର ୫ମ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କୁ ଅଫ୍ଲାଇନ୍ କ୍ଲାସ୍ ଓ ପରୀକ୍ଷା ପାଇଁ ଡକରା ହୋଇଛି। ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ୧୨୦୦ ହୋଇଥିବା ବେଳେ ବହୁ ଅଭିଭାବକ ନିଜ ପିଲାଙ୍କୁ ପଠାଇବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି।
The post ଭିସୁଟ୍ର ୨ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.
from କରୋନା – Sambad https://ift.tt/3i9vnG5
0 Comments