ଵାସିଂଟନ: କୋଭିଡ୍‌ ନିରାକରଣ ପାଇଁ ଆମେରିକାରେ ଫାଇଜର-ବାୟୋଏନ୍‌ଟେକ୍‌ ଦ୍ବାରା ପ୍ରସ୍ତୁତ ଟିକାକୁ ଗ୍ରହଣ କରିଥିବା ନାଗରିକମାନଙ୍କ ମଧ୍ୟରୁ ୪,୪୦୦ ଜଣଙ୍କ ଠାରେ ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେଥିରୁ ୨୧ଟି ମାମଲା ଆନାଫାଇଲାକ୍ସିସ ଭଳି ମରଣାନ୍ତକ ଶାରୀରିକ ବିକାର ପ୍ରତିକ୍ରିୟା ବୋଲି ସ୍ପଷ୍ଟ ହୋଇଥିବା ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର(ସିଡିସିପି) ପକ୍ଷରୁ ସୂଚନା ମିଳିଛି। ଫଳରେ ଉକ୍ତ ଟିକାର ନିରାପଦତା ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ସୂଚନା ଥାଉ କି, ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ(ଏଫ୍‌ଡିଏ) ପକ୍ଷରୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଲୋକଙ୍କୁ ୨୧ ଦିନ ଅନ୍ତରରେ ଏହି ଫାଇଜର ଟିକାର ଦୁଇଟି ମାତ୍ରା ଦେବା ଲାଗି ଗତ ଡିସେମ୍ବର ୧୧ ତାରିଖରେ ଅନୁମତି ପ୍ରଦାନ କରାଯାଇଥିଲା। ତଦନୁସାରେ ଆମେରିକାରେ ଡିସେମ୍ବର ୨୩ ସୁଦ୍ଧା ମୋଟ ୧୮,୯୩,୩୬୦ ଜଣ ନାଗରିକ ପ୍ରଥମ ମାତ୍ରା ଫାଇଜର ଟିକା ନେଇ ସାରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଦ୍ବିତୀୟ ମାତ୍ରା ଆରମ୍ଭ ହୋଇନଥିବା ବେଳେ ପ୍ରଥମ ମାତ୍ରା ନେଇଥିବା ୪,୩୯୩ ଜଣଙ୍କର ବିଭିନ୍ନ ପ୍ରକାର ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ହୋଇଥିବା ଭାକ୍ସିନ୍‌ ଆଡ୍‌ଭର୍ସ ଇଭେଣ୍ଟ୍‌ ରିପୋର୍ଟିଂ ସିଷ୍ଟମ୍‌ ସୂତ୍ରରୁ ଜଣାଯାଇଛି। ସେମାନଙ୍କ ଭିତରୁ ଆନାଫାଇଲାକ୍ସିସ ପରି ଗୁରୁତର ପ୍ରତିକ୍ରିୟା ଥିବା ୧୭୫ ଜଣଙ୍କୁ ପୁଣି ଥରେ ଅନୁଧ୍ୟାନ କରାଯାଉଛି।

The post ଆମେରିକାରେ ଫାଇଜର ଟିକା ନେଇଥିବା ୪,୪୦୦ ଜଣଙ୍କଠାରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା first appeared on Sambad.



from କରୋନା – Sambad https://ift.tt/3bizWwd