କୋଭିଡ୍‌-୧୯ ଟିକାକୁ ନେଇ ଗୁଜବ ପ୍ରଘଟକୁ ରୋକିବା ଲାଗି ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକାକୁ ନେଇ କୌଣସି ପ୍ରକାରର ଗୁଜବ ପ୍ରଘଟକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା। ସେରମ୍ ଇନଷ୍ଟିଚ୍ୟୁଟ୍ ଉତ୍ପାଦିତ କୋଭାସିଲ୍ଡ ଏବଂ ଭାରତ ବାୟୋଟେକ୍ ପ୍ରସ୍ତୁତ କ‌ୋଭାକ୍ସିନ୍ ସଂପର୍କରେ ଭ୍ରମାତ୍ମକ ଖବର ପ୍ରକାଶ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ପତ୍ରରେ ଉଲ୍ଲେଖ କରାଯାଇଛି।

ଦେଶରେ ଥିବା ଜାତୀୟ ନିୟାମକ ପ୍ରାଧିକରଣ ଉଭୟ ଟିକାକୁ ନିରାପଦ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରକ ବୋଲି ନିଶ୍ଚିତ କରିବା ପରେ ମଧ୍ୟ ସାମାଜିକ ଗଣମାଧ୍ୟମଗୁଡ଼ିକରେ ବିଭିନ୍ନ ଧରଣର ବିଭ୍ରାନ୍ତକାରୀ ଖବର ଏହି ଟିକାଗୁଡ଼ିକର ସୁରକ୍ଷା ଏବଂ କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି ଗୃହ ସଚିବ ଭାଲ୍ଲା କହିଛନ୍ତି।

ଏହି ପ୍ରକାରର ଗୁଜବ ପ୍ରଚାର କରି ଲୋକଙ୍କ ଭିତରେ ଅଯଥା ଭୟ ସୃଷ୍ଟି କରୁଥିବା ଭିତ୍ତିହୀନ ଖବରର ଉଚିତ ଯାଞ୍ଚ୍‌ କରିବାକୁ ସେ ଚିଠି ଲେଖି ରାଜ୍ୟର ମୁଖ୍ୟସଚିବମାନଙ୍କୁ  ପରାମର୍ଶ ଦେଇଛନ୍ତି।

କେନ୍ଦ୍ର  ଗୃହ ସଚିବ ତାଙ୍କ ଚିଠିରେ ରାଜ୍ୟମାନଙ୍କୁ ଅଯଥା ଗୁଜବ ପ୍ରଚାରର ଯାଞ୍ଚ୍‌ କରିବା ପାଇଁ ଏକ ଉପଯୁକ୍ତ ଯାନ୍ତ୍ରିକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିବା ସୂଚନା ରହିଛି। ଗୃହ ସଚିବ ଆହୁରି ବି କହିଛନ୍ତି ଯେ ଭାରତୀୟ ପେନାଲ କୋଡ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁଯାୟୀ‌ ଏଭଳି ଲୋକଙ୍କୁ ଦଣ୍ଡିତ କରାଯାଇପାରେ।

ଏହାବ୍ୟତୀତ ସାଧାରଣ ଲୋକମାନେ ଟିକାକୁ ନେଇ ବାହାରୁଥିବା ବିଭିନ୍ନ ପ୍ରକାରର ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପରିକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ନିକଟ ଅତୀତରେ କେତେକ ସ୍ଥାନରେ ପୋଷ୍ଟର ଜାରି କରାଯାଇ କୋଭିଡ୍‌-୧୯କୁ ନେଇ ରହିଥିବା ଦ୍ବନ୍ଦ୍ବକୁ ନେଇ ଦୂର କରାଯାଇଥିଲା।

The post କୋଭିଡ୍‌-୧୯ ଟିକାକୁ ନେଇ ଗୁଜବ ପ୍ରଘଟକୁ ରୋକିବା ଲାଗି ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର first appeared on Sambad.



from କରୋନା – Sambad https://ift.tt/36aflqP

Post a Comment

0 Comments