ନୂଆଦିଲ୍ଲୀ: ଜାନୁଆରି ୧୬ ତାରିଖରେ ଦେଶରେ ଆରମ୍ଭ ହେବାକୁ ଯାଉଥିବା ବିଶାଳ ଟିକାକରଣ ଅଭିଯାନରେ ସରକାରଙ୍କର ଅନ୍ୟୂନ ୨୩ଟି ବିଭାଗ ଅଂଶଗ୍ରହଣ କରିବେ। ଏହା ବିଶ୍ୱର ସବୁଠାରୁ ବଡ଼ ଟିକାରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।

ଏହି ଅଭିଯାନର ଅବାଧ ପରିଚାଳନା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶନାରେ ଅନ୍ୟ ୨୩ଟି ସରକାରୀ ବିଭାଗ କାମ କରିବେ।
ମହିଳା ଓ ଶିଶୁ ବିକାଶ ବିଭାଗ ଟିକାକରଣ ପାଇଁ କର୍ମଚାରୀ ଯୋଗାଇ ଦେବ। ପଞ୍ଚାୟତରାଜ ବିଭାଗ ଟିକାକରଣ ସ୍ଥାନ ଚିହ୍ନଟ ଓ ବ୍ୟବସ୍ଥା କରିବା ସହ ପଞ୍ଚାୟତ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା କର୍ମୀଙ୍କର ପଞ୍ଜିକରଣ କରାଇବାରେ ସହଯୋଗ କରିବ। ଗ୍ରାମୀଣ ବିକାଶ ବିଭାଗ ଏହି ଅଭିଯାନରେ ସ୍ୱଂୟସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବ।

ସେହିଭଳି ଶିକ୍ଷା ବିଭାଗ ଟିକାକରଣ ଅଧିବେଶନ ପରିଚାଳନା କରିବା ସହ ଆବଶ୍ୟକ ହେଲେ କର୍ମଚାରୀ ଯୋଗାଇ ଦେବ। ଆୟୁଷ ବିଭାଗ ମଧ୍ୟ ତା’ ଅଧୀନରେ ଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଚିହ୍ନଟ କରାଇବା ସହ ଭ୍ୟାକ୍ସିନେଟର୍‌ ଯୋଗାଇ ଦେବ। ନଗରାଞ୍ଚଳ ବିକାଶ ବିଭାଗ ସ୍ୱାସ୍ଥ୍ୟସେବା କର୍ମୀ ଏବଂ ମହାନଗର ନିଗମ ଓ ପୌରାଞ୍ଚଳରେ କାର୍ଯ୍ୟରତ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବାକାରୀଙ୍କୁ ପଞ୍ଜିକୃତ କରିବ। ସେମାନଙ୍କ କର୍ମଚାରୀମାନେ ମଧ୍ୟ ଭ୍ୟାକ୍ସିନ୍‌ ଅଫିସର୍‌ ଭାବେ କାମ କରିବେ। କ୍ରୀଡ଼ା ଓ ଯୁବ ବିଭାଗ ଟିକାକରଣ ସ୍ଥାନରେ ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ ‘ଏନ୍‌ଓ୍ଵାଇକେଏସ୍‌’ ଏବଂ ‘ଏନ୍‌ଏସ୍‌ଏସ୍‌’ କ୍ୟାଡେଟ୍‌ ଯୋଗାଇ ଦେବ।

Image Courtesy of Hindustan Times

ଏହାଛଡ଼ା ରାଜ୍ୟ ପୁଲିସ ବିଭାଗ ମଧ୍ୟ ନିଜ ବିଭାଗରୁ ଟିକା ନେବାକୁ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଦୁର୍ଗମ ଏବଂ ଉଗ୍ର ବାମପନ୍ଥୀ ଅଧ୍ୟୁଷିତ ଅଞ୍ଚଳରେ ଟିକା ପହଞ୍ଚାଇବାରେ ସହାୟକ ହେବ ଏବଂ ଟିକା ଷ୍ଟୋରେଜ୍‌, ପରିବହନ ଏବଂ ଟିକାକରଣ ସ୍ଥାନରେ ସୁରକ୍ଷା ପ୍ରଦାନ କରିବ। ରାଜସ୍ୱ, ପୂର୍ତ୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଙ୍ଗ୍‌ ବିଭାଗ ଟିକାକରଣ ଅଧିବେଶନ ପାଇଁ ସ୍ଥାନ ଚିହ୍ନଟ କରାଇବ। ପ୍ରତିରକ୍ଷା ବିଭାଗ ସଶସ୍ତ୍ରବାହିନୀରେ ଟିକା ନେବାକୁ ଥିବା ହିତାଧିକାରୀଙ୍କ ପଞ୍ଜିକରଣରେ ସହାୟକ ହେବ ଓ ନିରାପତ୍ତା-ସ୍ପର୍ଶକାତର ଅଞ୍ଚଳକୁ ଟିକା ନେବାରେ ସାହାଯ୍ୟ କରିବ।

ଏହା ବ୍ୟତିରେକେ, ଖାଦ୍ୟ ଓ ଯୋଗାଣ ବିଭାଗ ଟିକାକରଣ ସ୍ଥାନରେ ‘କୋଲ୍‌ଡ୍‌ ଷ୍ଟୋରେଜ୍‌’ ଏବଂ ବାୟୋମେଟ୍ରିକ୍‌ ଅଥେଣ୍ଟିକେସନ୍‌ ସୁବିଧା ଯୋଗାଇ ଦେବ। ଜନକଲ୍ୟାଣ, ସଂଖ୍ୟାଲଘୁ ବ୍ୟାପାର ଏବଂ ଜନଜାତି ବ୍ୟାପାର ବିଭାଗରେ ଥିବା ପ୍ରତିଷ୍ଠାନମାନଙ୍କରେ ଟିକାଦାନ କେନ୍ଦ୍ର ଖୋଲାଯିବ। ପଶୁପାଳନ ବିଭାଗ ମଧ୍ୟ ଆବଶ୍ୟକ କ୍ଷେତ୍ରରେ କୋଲ୍‌ଡ୍‌ ଷ୍ଟୋରେଜ୍‌ ସୁବିଧା ଯୋଗାଇ ଦେବ। ରେଳବାଇ ମଧ୍ୟ ତା’ ହସ୍‌ପିଟାଲ୍‌ରେ ଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଚିହ୍ନଟ କରିବ ଓ ରେଳବାଇ ହସ୍ପିଟାଲ୍‌ରେ ଟିକାକରଣ କରାଇବ।

ଶ୍ରମ ଓ ନିୟୋଜନ ବିଭାଗ ଇଏସ୍‌ଆଇ ହସ୍ପିଟାଲ୍‌ରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରିବା ସହ ସେହିସବୁ ଡାକ୍ତରଖାନାରେ ଟିକାଦାନ କେନ୍ଦ୍ର ଖୋଲିବ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ହିତାଧିକାରୀଙ୍କୁ ପଞ୍ଜିକୃତ କରିବା ସହ ହତାଧିକାରୀ ପ୍ରମାଣପତ୍ର ଛାପିବା ଦାୟିତ୍ୱରେ ରହିବ। ସେହିଭଳି ରାଜ୍ୟ ‘ଏଡ୍‌ସ୍‌ କଣ୍ଟ୍ରୋଲ୍‌ ସୋସାଇଟି’ର କାଉନ୍‌ସେଲର୍‌ମାନେ ଟିକା ସଂକ୍ରାନ୍ତରେ ଲୋକମାନଙ୍କ ମନରେ ଥିବା ଦ୍ୱିଧା ଓ ଆଶଙ୍କା ଦୂର କରିବା ଲାଗି ପରାମର୍ଶ ଦେବେ। ବିଜୁଳି ବିଭାଗ ଟିକା ଷ୍ଟୋରେଜ୍‌ ଥିବା ସ୍ଥାନ ଏବଂ ଟିକାକରଣ ସ୍ଥାନରେ ବିଜୁଳି ଯୋଗାଣ ଅବ୍ୟାହତ ରଖିବ।

The post ଭାରତର କୋଭିଡ୍‌-୧୯ ଟିକାକରଣ ଅଭିଯାନ ପରିଚାଳନାରେ ଭାଗ ନେବେ ୨୩ଟି ସରକାରୀ ବିଭାଗ first appeared on Sambad.



from କରୋନା – Sambad https://ift.tt/3s9jjt5