ମାତ୍ର ୨.୧୯% ସକ୍ରିୟ ମାମଲା
ତୃତୀୟ ରାଷ୍ଟ୍ରଭାବେ ଭାରତର କରୋନା ମୃତ୍ୟୁ ଦେଢ଼ ଲକ୍ଷ ଟପିଲା
ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ମାମଲା ୨୦ ହଜାରରୁ କମ୍‌ ରହୁଛି। ତେବେ ଗତ ୭ ଦିନରେ ଦେଶରେ ପ୍ରତି ୧୦ ଲକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁସଂଖ୍ୟା ବେଶ୍‌ କମ୍‌ ରହିଛି। ଗତ ୭ ଦିନରେ ଦେଶରେ ପ୍ରତି ୧୦ ଲକ୍ଷରେ ମାତ୍ର ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବ୍ରିଟେନ୍‌, ଇଟାଲି, ଆମେରିକା, ଫ୍ରାନ୍ସ , ରୁଷ୍‌ ଏବଂ ବ୍ରାଜିଲ୍‌ଠାରୁ ଏହି ସଂଖ୍ୟା ବହୁତ କମ୍‌। ଅନ୍ୟପକ୍ଷେ ବ୍ରିଟେନ୍‌ରେ ପ୍ରତି ୧୦ ଲକ୍ଷରେ ୬୪, ଇଟାଲି ଏବଂ ଆମେରିକାରେ ୫୫, ଫ୍ରାନ୍ସରେ ୩୫, ରୁଷ୍‌ରେ ୨୫ ଏବଂ ବ୍ରାଜିଲ୍‌ରେ ୨୩ ଜଣଙ୍କ ମୃତ୍ୟୁ ହେଉଛି। ଗତ ୧୨ ଦିନ ଧରି ଦେଶର ଦୈନିକ ମୃତ୍ୟୁ ୩୦୦ରୁ କମ୍‌ ରହୁଛି। ଆମେରିକା ଏବଂ ବ୍ରାଜିଲ୍‌ ପରେ ତୃତୀୟ ରାଷ୍ଟ୍ରଭାବେ ଭାରତର କରୋନା ମୃତ୍ୟୁ ଦେଢ଼ ଲକ୍ଷ ଟପିଯାଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁ ୧୫୦,୧୧୪ରେ ପହଞ୍ଚିଛି।

ଅନ୍ୟପକ୍ଷେ ଗତ ୭ ଦିନରେ ଦେଶରେ ପ୍ରତି ୧୦ ଲକ୍ଷ‌ରେ ୯୬ ସଂକ୍ରମଣ ମାମଲା ରହିଛି। ବ୍ରିଟେନ୍‌ରେ ପ୍ରତି ୧୦ ଲକ୍ଷରେ ୫,୬୫୪ ସଂକ୍ରମଣ ମାମଲା ଥିବା ବେଳେ ଆମେରିକାରେ ୪,୫୨୪, ଇଟାଲିରେ ୧,୮୧୯, ଫ୍ରାନ୍ସରେ ୧,୪୭୧, ରୁଷ୍‌ରେ ୧,୨୨୯ ଏବଂ ବ୍ରାଜିଲ୍‌ରେ ପ୍ରତି ୧୦ ଲକ୍ଷରେ ସଂକ୍ରମଣ ମାମଲା ୧,୧୭୪ ରହୁଛି। ଦେଶରେ ଗତ ୨୪ ଘଣ୍ଟ‌ା ମଧ୍ୟରେ ୧୮,୦୮୮ ନୂଆ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧୦,୩୭୪,୯୩୨ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଏବେ ୨,୨୭,୫୪୬ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨.୧୯ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି।

The post ଦେଶରେ ପ୍ରତି ୧୦ ଲକ୍ଷରେ ୯୬ ସଂକ୍ରମିତ, ଜଣଙ୍କ ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/2JPNAvy